ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅଂଟା ଭିଡିଲା ଉପକୂଳବର୍ତୀ ଜିଲ୍ଲା: ମାଇକରେ ଗାଁ ଗାଁ ବୁଲି ପ୍ରଚାର, ଖାଲି ହେଉଛି ବାତ୍ୟା ଆଶ୍ରୟସ୍ଥଳୀ; ସ୍ଥାନାନ୍ତର ହେବେ ସମୁଦ୍ର ତଟବର୍ତୀ ଜନବସତି

ଅମଳ ଫସଲ କାଟି ନେବାକୁ ପ୍ରଶାସନର ପରାମର୍ଶ

187

କନକ ବ୍ୟୁରୋ: ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଉତର ଓଡିଶାର ଚାରିଟି ଉପକୂଳବର୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଂଜକୁ ସତର୍କ କରାଯାଇଛି । ସମୂଦ୍ର ତଟବର୍ତ୍ୀ ୩ କିଲୋମିଟର ଭିତରେ ଥିବା ଜନବସତିକୁ ସୁରକ୍ଷିତ ସ୍ଥାନକୁ ନେବାର ବନ୍ଦୋବସ୍ତ କରାଯାଇଛି । ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀଙ୍କୁ କ୍ଷେତରେ ଥିବା ଫସଲ ଶୀଘ୍ର ଅମଳ କରିନେବାକୁ କୁହାଯାଇଛି । ମାଇକରେ ଗାଁ ଗାଁ ବୁଲି ପ୍ରଚାର କରାଯାଉଛି । ବାଲିଆପାଳ ତହସିଲଦାର ବ୍ଳକର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ପରଖିବା ସହ ସମୁଦ୍ର ଉପକୂଳବର୍ତୀ ଅଂଚଳ ବୁଲି ଲୋକମାନଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏପଟେ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ । ଜିରୋ କାଜୁଆଲିଟି ବା ଶୂନ ଜୀବନ ହାନି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ତେବେ ଓଡିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିିତଲି, ବୁଲବୁଲ, ଫାଇଲିନ୍, ହୁଡହୁଡ୍ ଆଦି ଅନେକ ବାତ୍ୟାର ସଫଳ ମୁକାବିଲା କରିଆସିଛନ୍ତି । ତେଣୁ ଆତଙ୍କିତ ନହୋଇ ଅମ୍ଫାନର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଏନଡିଆରଏଫ, ଓଡିଆରଏଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦଶଂକୁଳ ଅଂଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିପାରିବା ଭଳି ୫୬୭ ୫୬୬ ଟି ବାତ୍ୟା ଅସ୍ଥାୟୀସ୍ଥଳ ଏବଂ ୭ହଜାର ପକ୍କା ଘର ପ୍ରସ୍ତୁତ ରଖାଯାଇଥିବା ସୂଚନା ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୯ରୁ ୨୧ ମଧ୍ୟରେ ଉପକୂଳ ଓଡିଶାକୁ କୌଣସି ଶ୍ରମିକ ଟ୍ରେନ୍ ନଆସିବାକୁ କହିଛି ରାଜ୍ୟ ସରକାର । କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।