ସର୍ବକ୍ଷମା ପରେ ଆଉ ମିଳିବ ନାହିଁ କ୍ଷମା । ୫ ତାରିଖ ଯାଏଁ ଡେଡଲାଇନ୍, କେରଳ ଷ୍ଟାଇଲରେ ଭଙ୍ଗାଯିବ କି ଓଡିଶାର ବେଆଇନ କୋଠା?

758

କନକ ବ୍ୟୁରୋ : ବେଆଇନ ନିର୍ମାଣକାରୀଙ୍କୁ ନିସ୍ତାର ନାହିଁ । ସର୍ବକ୍ଷମା ଯୋଜନାରେ ସଂଶୋଧନ କରିନଥିବା ମାଲିକମାନଙ୍କୁ ଆଉ ମିଳିବନି କ୍ଷମା । ଆଇନ ଉଲଘଂନକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଭଳି କଡା ଆଭିମୁଖ୍ୟ ଦେଖାଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଫେବ୍ରୁଆରୀ ପାଂଚ ତାରିଖରେ ଡେଡଲାଇନ ସରିବା ପରେ ୬ ତାରିଖରୁ ପଦକ୍ଷେପ ନେବେ ୯ ଟି ସହରର ଉନ୍ନୟନ କର୍ତୃପକ୍ଷ ।

କିଛି ଦିନ ପୂର୍ବରୁ କେରଳର ନଭଶ୍ଚୁମ୍ବି ଅଟ୍ଟାଳିକା କେଇ ସେକେଣ୍ଡରେ ମାଟିରେ ମିଶି ଯାଇଥିଲା । କିନ୍ତୁ ଏଗୁଡିକ ସବୁ ଆଇନ ଉଲଘଂନ କରି ନିର୍ମାଣ କରିଥିବାରୁ କେରଳ ସରକାର ଏହାକୁ ଅବୈଧ ଘୋଷଣା କରି ଭାଙ୍ଗି ପକାଇଥିଲେ । ଆଉ ଠିକ୍ ସେହିଭଳି ଘଟଣା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିପାରେ । ବେଆଇନ ନିର୍ମାଣ ଉପରେ କଡା ପଦକ୍ଷେପ ନେଇପାରନ୍ତି ରାଜ୍ୟ ସରକାର ।

ଆଉ ବଢ଼ିବନି ସର୍ବକ୍ଷମା ଯୋଜନା ଅବଧି । ସର୍ବକ୍ଷମା ସମୟ ଶେଷ ହେବା ପରେ ବେଆଇନ ନିର୍ମାଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବେ ସରକାର । ସର୍ବକ୍ଷମା ଯୋଜନା ଆସନ୍ତା ଫେବ୍ରୁୟାରୀ ପାଂଚ ତାରିଖରେ ଶେଷ ହେବ । ନିୟମ ଉଲଘଂନ କରିଥିବା ନିର୍ମାଣକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ନଗର ଉନ୍ନୟନ ବିଭାଗ ।

ନଜର ପକାନ୍ତୁ କେଉଁ କେଉଁ ସହର ଗୁଡିକରେ ସର୍ବକ୍ଷମା ଯୋଜନା ଲାଗୁ ହୋଇଥିଲା । ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର -ଅନୁଗୁଳ, ବ୍ରହ୍ମପୁର, ସମ୍ବଲପୁର, ପୁରୀ- କୋଣାର୍କ, କଳିଙ୍ଗ ନଗର, ପାରାଦୀପ । ଗୋଟିଏ ପଟେ ସରକାର ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଛନ୍ତି, ଅନ୍ୟପଟେ ସର୍ବକ୍ଷମା ଯୋଜନାକୁ ଲୋକଙ୍କ ଆଗରେ ସଠିକ୍ ଭାବେ ଉପସ୍ଥାପନ ହୋଇପାରିନଥିବା ଅଭିଯୋଗ ହୋଇଛି ।

୨୦୧୮ ଜୁନରେ ସର୍ବକ୍ଷମା ଯୋଜନା ଆଣିଥିଲେ ସରକାର । ତେବେ ଯୋଜନାଟି ଜଟିଳ ହୋଇଥିବାରୁ ଲୋକଙ୍କ ଆଦୃତି ଲାଭ କରିପାରି ନାହିଁ । ଆବଶ୍ୟକ ଅନୁମତି ନଥାଇ ହଜାର ହଜାର ଘର ନିର୍ମାଣ ହୋଇଥିଲେ ବି ସର୍ବକ୍ଷମା ଯୋଜନା ପାଇଁ ମାତ୍ର ୩ ହଜାର ୯ ଶହଟି ଆବେଦନ ସରକାରଙ୍କ ନିକଟରେ ପହଁଚିଛି ।