ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା । ଜାଣନ୍ତୁ କେଉଁ ପ୍ରଶ୍ନ ପଚାରିଲେ ଜେଲ ଅଧିକାରୀ?

915

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏହା ଏଭଳି ଏକ ଖବର, ଯାହା ତାଙ୍କୁ ଫାଶୀ ଖୁଂଟର ଆହୁରି ନିକଟତର କରିଛି । ନିର୍ଭୟା ମାମଲାର ୪ ଦୋଷୀ- ବିନୟ ଶର୍ମା, ମୁକେଶ ସିଂହ, ପବନ ଗୁପ୍ତା ଓ ଅକ୍ଷୟ ଠାକୁରକୁ ଶେଷ ଇଚ୍ଛା ପଚାରିଛନ୍ତି ତିହାର ଜେଲ କର୍ତୃପକ୍ଷ । ଜେଲ ମାନୁଆଲ ଅନୁସାରେ ଫାଶୀ ଦେବାର ୭ ଦିନ ପୂର୍ବରୁ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯାଇଥାଏ । ଆଉ ସେହି ଅନୁସାରେ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କଣ ଜଣାଇବା ପାଇଁ ନୋଟିସ କରାଯାଇଛି । ଏଥିସହ ଦୋଷୀମାନଙ୍କୁ କେତେକ ପ୍ରଶ୍ନ କରିଛନ୍ତି ଜେଲ ଅଧିକାରୀ ।

ନିର୍ଭୟା ଦୋଷୀଙ୍କୁ ପ୍ରଶ୍ନ
୧- ଫେବ୍ରୁଆରୀ ୧ରେ ଫାଶୀ ପୂର୍ବରୁ ପରିବାରର କାହାରିକୁ ଭେଟିବାକୁ ଚାହୁଁଛନ୍ତି?
୨- ସଂପତ୍ତି କିମ୍ବା ବ୍ୟାଙ୍କ ଆକାଉଂଟ ଥିଲେ କାହାରିକୁ ଟ୍ରାନ୍ସଫର କରିବାକୁ ଚାହିଁବେ?
୩- କାହାରିକୁ ନିଜର ନୋମିନି କିମ୍ବା ଉତ୍ତରାଧିକାରୀ ଚୟନ କରିବାକୁ ଚାହୁଁଛନ୍ତି କି?
୪- କୌଣସି ଧର୍ମୀୟ ପୁସ୍ତକ କିମ୍ବା ମନପସନ୍ଦ ବହି ପଢିବାକୁ ଚାହୁଁଛନ୍ତି କି ଦୋଷୀ?

ମିଳିଥିବା ସୂଚନା ଅନୁସାରେ ଶେଷ ଇଚ୍ଛାରେ ଏହିଭଳି କିଛି ନିର୍ଦ୍ଧାରିତ ପ୍ରଶ୍ନ କରାଯାଏ ଓ ତାହାକୁ ପୂରଣ କରାଯାଏ । ଫେବ୍ରୁଆରୀ ୧ ତାରିଖରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦେବାପାଇଁ ଦିଲ୍ଲୀର ଏକ କୋର୍ଟ ଡେଥ ୱାରେଂଟ ଜାରି କରିଥିବାରୁ ଶେଷ ଇଚ୍ଛ ଜଣାଇବାକୁ ନୋଟିସ କରିଛି ଜେଲ ।

ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛନ୍ତି ନିର୍ଭୟା ମାମଲାର ସମସ୍ତ ଦୋଷୀ । ଗୋଟିଏ ପଟେ ଏମାନଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ସମସ୍ତ ପ୍ରସ୍ତୁତି କରୁଛନ୍ତି ଜେଲ କର୍ତୃପକ୍ଷ । ଅନ୍ୟପଟେ ସେହି ଜେଲ ମାନୁଆଲରେ ଥିବା କେତେକ ଦୁର୍ବଳତାକୁ ଆଳକରି ବାରମ୍ବାର ଫାଶୀ ତାରିଖ ଗଡାଇ ଚାଲିଛନ୍ତି ଦୋଷୀ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାପାଇଁ ଡେଥ ୱାରେଂଟ ଜାରି କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ହେଲେ ଜଣେ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଫୈସଲା ହୋଇନଥିବାରୁ ଘୁଂଚିଥିଲା ଫାଶୀ ତାରିଖ । ପୁଣି ଫେବ୍ରୁଆରୀ ୧ ତାରିଖ ପାଇଁ ସାନି ଡେଥ ୱାରେଂଟ ଜାରି କରିଥିଲେ କୋର୍ଟ । ହେଲେ ଅନ୍ୟ ଦୋଷୀମାନଙ୍କ ପାଖରେ ଥିବା ନ୍ୟାୟିକ ବିକଳ୍ପ ଏହି ତାରିଖକୁ ମଧ୍ୟ ଗଡାଇ ଦେବାର ଆଶଙ୍କା ରହିଛି ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ନେଇ ଅହେତୁକ ବିଳମ୍ବ ଯୋଗୁଁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି । ତେଣୁ ଏ ଦିଗରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର । ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବା ପାଇଁ ୭ ଦିନର ସମୟସୀମା ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

ପୂର୍ବରୁ ଜାରି ହୋଇଥିବା ଡେଥ ୱାରେଂଟ ଅନୁସାରେ, ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ ତିହାର ଜେଲ କର୍ତୃପକ୍ଷ । ବିହାର ବକ୍ସର ଜେଲରୁ ସ୍ୱତନ୍ତ୍ର ମାନିଲା ରୋପ ମଗାଇଥିଲେ । ଦୋଷୀଙ୍କ ଗଳାର ମାପ ଏବଂ ଓଜନ ପରୀକ୍ଷା କରି ଫାଶୀ ଦଉଡିର କ୍ଷମତା ବି ପରଖି ସାରିଥିଲେ । ଏବେ ଫାଶୀ ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାରୁ ସେହି ଅନୁସାରେ ଦୋଷୀଙ୍କୁ ଶେଷ ଇଚ୍ଛା ବି ପଚାରି ସାରିଛନ୍ତି । ଏମାନଙ୍କ ଉତ୍ତର ମିଳିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରାଯିବ । ଏବଂ ସୁପ୍ରିମକୋର୍ଟଙ୍କ ସବୁଜ ସଂକେତ ମିଳିଲେ ସମସ୍ତ ୪ ଦୋଷୀଙ୍କୁ ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ତିହାରର ତିନି ନମ୍ବର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବ ପବନ ଜହ୍ଲାଦ ।