ବଢ଼ିବ ଜଳକର ! ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଜଳ ସଂପଦ ବିଭାଗର ପ୍ରସ୍ତାବ

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜୁରାଟ୍‌ରେ ପ୍ରତି ୧ କ୍ୟୁବିକ୍‌ ମିଟର(କମ୍‌) ବା ପ୍ରତି ୧ ହଜାର ଲିଟର ଜଳ କର ଦେୟ ଟ ୨.୭୩ ପଇସା । ୨୦୧୪ରେ ସେହି ରାଜ୍ୟରେ ଜଳ କର ଥିଲା ୧ କମ୍‌ ପିଛା ୧.୯୫ ଟଙ୍କା । ଏହି ଦେୟ ହାର ପ୍ରତି ବର୍ଷ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଛାଡ଼ି ଦିଆଯାଇଛି । ଗୁଜୁରାଟ୍‌ ତୁଳନାରେ ଓଡ଼ିଶାରେ ଏହି ହାର ଅତ୍ୟନ୍ତ ନଗଣ୍ୟ । ଏକ ହଜାର ଲିଟର ଦର ମାତ୍ର ୩୦ ପଇସା । ତେବେ ଗୁଜୁରାଟ୍‌ ଉଦାହରଣ ଦେଇ ଜଳସେଚନ ବିଭାଗ ଏହି ଦେୟ ବା କରକୁ ୧୧ ଗୁଣରୁ ଅଧିକ ବୃଦ୍ଧି କରିବାକୁ ଚିନ୍ତା କରୁଛି । ଏ ନେଇ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି । ଏହି ବୃଦ୍ଧି ପ୍ରସ୍ତାବକୁ ସରକାର ଅନୁମୋଦନ ଦେଲେ ଲୋକଙ୍କ ଉପରେ ଜଳ କର ମାଡ଼ ଭୀଷଣ ଅନୁଭୂତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ କ୍ରମବର୍ଧିଷ୍ଣୁ ଜଳ ସଙ୍କଟ ହିଁ ଏଭଳି ପରିକଳ୍ପନାକୁ ଜନ୍ମ ଦେଇଛି । କେବଳ ଜନ୍ମ ଦେଇନି, ଗତ ଏପ୍ରିଲ୍‌ ୧୩ ତାରିଖରେ ଅନୁଷ୍ଠିତ ଜଳ ଆବଣ୍ଟନ କମିଟି(ଡବ୍ଲ୍ୟୁଏସି)ର ୭୮ତମ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ବୈଠକରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ଜଳ ଦେୟ ବା କର ବୃଦ୍ଧି ନେଇ ପ୍ରସ୍ତାବ ପଠାଯିବ ବୋଲି ସ୍ଥିର ହୋଇଥିଲା । ଏହି ପ୍ରସ୍ତାବ ଅନୁଯାୟୀ ସମସ୍ତ ପୌରପାଳିକା, ପୌର ପରିଷଦ, ଅନ୍ୟାନ୍ୟ ଉନ୍ନୟନ କର୍ତୃପକ୍ଷଙ୍କୁ ପାନୀୟଜଳ ହେଉ ବା ସଫାସଫି ଉଦ୍ଦେଶ୍ୟରେ ଆବଶ୍ୟକ ଜଳ ଯୋଗାଣ ଉପରେ ମୂଲ୍ୟ ବୃଦ୍ଧି କରାଯିବ ।

ରାଜ୍ୟର ସମସ୍ତ ପୌରପାଳିକା, ମହାନଗର ନିଗମ, ଏନ୍‌ଏସି ସରକାରଙ୍କ ଜଳ ଉତ୍ସ ହେଉ ବା ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଜଳ ନେଇ ପାଇପ ଯୋଗେ ଜଳ ଯୋଗାଇଥାନ୍ତିି । ଓଡ଼ିଶା ଜଳସେଚନ ନିୟମାବଳୀ, ୧୯୬୧ର ବ୍ୟବସ୍ଥା ଅନୁସାରେ ସେହି ସଂସ୍ଥାଗୁଡ଼ିକୁ ଜଳ ନେବା ପାଇଁ ନିର୍ଧାରିତ ଦେୟ ଦେଇଥାନ୍ତି ପୌର ସଂସ୍ଥାଗୁଡ଼ିକ । ବର୍ତମାନ ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଜଳ ନେବା ପାଇଁ ପ୍ରତି କମ୍‌ ବା ୧ ହଜାର ଲିଟର ଜଳ ନେବା ପାଇଁ ସରକାରୀ ଦେୟ ୩୦ ପଇସା ଥିବା ବେଳେ ସରକାରଙ୍କ ଅନ୍ୟାନ୍ୟ ଜଳ ଉତ୍ସରୁ ଜଳ ନେଲେ ୨୪ ପଇସା ଧାର୍ଯ୍ୟ ହୋଇଛି । ଜଳ ଆବଣ୍ଟନ କମିଟି ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ସେହି ଦେୟ ବା କର କମ୍‌ ପିଛା ୨୪ ପଇସାରୁ ୨.୭୩ ଟଙ୍କା ଏବଂ କମ୍‌ ପିଛା ୩୦ ପଇସାରୁ ଟ ୩,୪୧ ପଇସାକୁ ବୃଦ୍ଧି କରାଯିବ । ଅର୍ଥାତ୍‌ ଉଭୟ ସରକାରୀ ଓ ଜଳସେଚନ ପ୍ରକଳ୍ପ ଉତ୍ସରୁ ଜଳ ବୃଦ୍ଧି ହାର ୧୧ ଗୁଣରୁ ଅଧିକ ହେବ ।

ଉଭୟ ସରକାରୀ ଓ ଜଳସେଚନ ପ୍ରକଳ୍ପ ଉତ୍ସରୁ ଜଳ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତି ୧ ହଜାର ମିଟର କ୍ଷମତା ସଂପନ୍ନ ଜଳ ସଂଯୋଗ ବାବଦରେ ନେଇଥାଏ ଟ୩.୮୦ ପଇସା । ବିଭିନ୍ନ ପ୍ରକାରର ସଂଯୋଗ ପାଇଁ ଜଳ ଦେୟ ଭିନ୍ନ ଭିନ୍ନ । ଏହି ଦେୟ ହାର ପ୍ରତିବର୍ଷ ୫ ପ୍ରତିଶତ ବଢ଼ୁଥିବା କହିଛନ୍ତିି ଜନସ୍ୱାସ୍ଥ୍ୟ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌.ଲକ୍ଷ୍ମୀପତି । ଯଦି ସରକାରୀ ବା ଜଳସେଚନ ଉତ୍ସରୁ ଜଳ ଉଠାଇବା ବାବଦରେ ଦେୟ ୧୧ ଗୁଣରୁ ଅଧିକ ବୃଦ୍ଧି ପାଇବ । ଫଳରେ ସହରାଞ୍ଚଳରେ ଜଳ ଯୋଗାଣ ଦେୟ ବୃଦ୍ଧି ପାଇବା ସ୍ୱାଭାବିକ। ଏହି ଦେୟ ହାର କେବେ ଓ କେତେ ପରିମାଣରେ ବୃଦ୍ଧି ପାଇବ ସେ ନେଇ ତାଙ୍କ ପାଖରେ କିଛି ଖବର ନ ଥିବା କହିଛନ୍ତି ଶ୍ରୀ ଲକ୍ଷ୍ମୀପତି ।

ଗତ ୫ ତାରିଖରେ ଜଳ ନିର୍ଦେଶାଳୟର ମୁଖ୍ୟ ଯନ୍ତ୍ରୀ ଇଂ ବି.ବି.ଧଳ ଜଳ ସଂପଦ ବିଭାଗ ପ୍ରମୁଖ ସଚିବଙ୍କୁ ଜଳ ଦେୟ ବୃଦ୍ଧି ପ୍ରସ୍ତାବ ସଂପର୍କରେ ଅବଗତ କରାଇଛନ୍ତି । ଜଳ ଆବଣ୍ଟନ କମିଟି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ସେ ଦର୍ଶାଇଛନ୍ତିି । ଏଣୁ ରାଜସ୍ୱ ବୃଦ୍ଧି ନିମନ୍ତେ ଜଳ କର ବା ଦେୟ ହାର ବୃଦ୍ଧି କରିବାକୁ ସେ ପ୍ରମୁଖ ସଚିବଙ୍କୁ ଅନୁରୋଧ କରିଛନ୍ତିି ।