ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ମୁହାଁ ହେଲା ଲଘୁଚାପ : ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

41

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଅଭିମୁଖେ ଅଗ୍ରସର ହେବ । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କେବଳ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ପାଇଁ ପ୍ରବଳ ବର୍ଷା ଆଶଙ୍କା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ୧ ସେମିରୁ ଅଧିକ ବର୍ଷା ହୋଇପାରେ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି । ଏଥିସହ ଉପକୂଳ ଓଡ଼ିଶା ଯଥା- କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର, ଖୋର୍ଧା ଜିଲ୍ଲାରେ ବର୍ଷା ହେବ। ସେଭଳି ପବନ ହେବାର ଆଶଙ୍କା ନାହିଁ । ଓଡ଼ିଶା ପ୍ରତି ସେପରି ବିପଦ ନ ଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୯ ଓ ୧୦ ତାରିଖରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୯ରୁ ୧୧ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଏଚ୍‌.ଆର. ବିଶ୍ୱାସ ।

ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ କହୁଛି ଯେ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ବଙ୍ଗଲାଦେଶ ମୁହାଁ ହୋଇଛି । ସମୁଦ୍ର ଭିତରେ ପବନର ବେଗ ଅଧିକ ରହିବ । ତେବେ ଓଡ଼ିଶା ପ୍ରତି ବିପଦର ଆଶଙ୍କା ନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ରର କିଛି ଅଞ୍ଚଳ, କର୍ଣ୍ଣାଟକର ବାକି ଅଂଶ, ରୟାଲସୀମା, ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ଆଶଙ୍କା ରହିଛି । ପାଗ ଅନୁକୂଳ ଥିବାରୁ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍‌, ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ମୌସୁମୀ ଛୁଇଁବାର ବହୁତ ସମ୍ଭାବନା ରହିଛି ।

ଜୁନ୍‌ ୮ ତାରିଖ ଅର୍ଥାତ୍‌ ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୯ ଓ ୧୦ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୨ ତାରିଖ ପରେ ପାଗରେ ପରିବର୍ତନ ଆସିବ ବୋଲି କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇଥିବା ବେଳେ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଆସିଛି ।