ଛୋଟ ନିର୍ବାଚନ ହେଲେ ବଡ଼ ପ୍ରଭାବ : ଆଜି ମୟୂରଭଂଜ ବିଜାତଳା ବ୍ଲକର ୩୨ ନମ୍ବର ଜୋନ୍ ଉପନିର୍ବାଚନ ପାଇଁ ଭୋଟିଂ ଜାରି

158

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୮୨ଟି ବୁଥରେ ଭୋଟ୍ ଗ୍ରହଣ କରାଯାଉଛି । ଏହି ଉପନିର୍ବାଚନରେ ବିଜେପି, ବିଜେଡି ଓ ଜେଏମଏମ୍ ମଧ୍ୟରେ କଡା ଟକ୍କର ହେବ ବୋଲି ଜଣାପଡିଛି । ଏହି ଆସନରେ ୫ଟି ପଂଚାୟତର ୨୩ହଜାର ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ଜିଲ୍ଲାପରିଷଦ ଜୋନରେ ୨୦୧୭ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏବଂ ବିଜେପି ଜିଲ୍ଲାପରିଷଦଙ୍କର ଦେହାନ୍ତ ହୋଇଯିବାରୁ ସେଠାରେ ଏବେ ଉପନିର୍ବାଚନ ହେଉଛି ।

ଅନ୍ୟପଟେ ଏହା ଜିଲ୍ଲାପରିଷଦ ଉପନିର୍ବାଚନ ହୋଇଥିଲେ ମଧ୍ୟ ଏହାକୁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ବେଶ୍ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ୨୦୧୭ରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଏଠାରେ ନମ୍ବର ୱାନ ଦଳ ଭାବେ ବିଜେପି ସାମ୍ନାକୁ ଆସିଥିଲା । ପଂଚାୟତ ନିର୍ବାଚନରେ ବିଜେଡିକୁ ବିଜେପି କଡା ଟକ୍କର ଦେଇଥିବା ବେଳେ ଉପନିର୍ବାଚନରେ ବିଜେପିକୁ ମାତ ଦେବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ।

ସେହିପରି ନିଜ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ବିଜେପି ପାଇଁ ବି ସମ୍ମାନର ପ୍ରଶ୍ନ । ସେହିପରି ଜେଏମଏମର ବି ସଙ୍ଗଠନ ସୁଦୃଢ ଥିବାରୁ ଛୋଟ ନିର୍ବାଚନରେ ବି ବଡ ଧରଣର କସରତ ଦେଖିବାକୁ ମଳିଛି । ଗତ ନିର୍ବାଚନରେ ଜେଏମଏମ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ନିର୍ବାଚନର ଫଳାଫଳ ଲୋକଙ୍କ ମିଜାଜ ଓ ରାଜନୈତିକ ଦଳର ବିଶ୍ୱସନୀୟତାକୁ ଜାହିର କରିବ ବୋଲି କୁହାଯାଉଛି ।