ଦାରିଙ୍ଗବାଡି ବାଡାବାଙ୍ଗା ଗାଁରେ ଅଭାବନୀୟ ଘଟଣା ! ଗୁଣିଗାରେଡି ସନ୍ଦେହରେ ଜଣକୁ ହତ୍ୟା ପରେ ପୋଡିଦେଲେ ଗ୍ରାମବାସୀ

41

କନକ ବ୍ୟୁରୋ: ଗୁଣି ସନ୍ଦେହରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ବାଡ଼ାବାଙ୍ଗା ଗ୍ରାମରେ ଗତକାଲି ପୂର୍ବାହ୍ନରେ ସୁବାସ ଚନ୍ଦ୍ର ମାଝୀ (୪୦) ନାମକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ପିଟି ପିଟି ହତ୍ୟା ଓ ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଦାରିଙ୍ଗବାଡ଼ି ଥାନାରେ ୧୨୩ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ବାଡ଼ାବାଙ୍ଗା ଗ୍ରାମର ୭ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି ।

ମିଳିଥିବା ସୂଚନାନୁସାରେ, ୨୦୦୮ ମସିହାରୁ ସୁବାସ ଗାଁରେ ଗୁଣିଗାରେଡି କରୁଥିବା ଲୋକେ ସନ୍ଦେହ କରି ଆସୁଥିଲେ । ଏହା ମଧ୍ୟରେ ପ୍ରାୟ ୧୨ଜଣ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲେ । ଫଳରେ ସୁବାସ ସେମାନଙ୍କୁ ଗୁଣିଗାରେଡି କରି ମାରୁଥିବା ସନ୍ଦେହ ଗ୍ରାମବାସୀଙ୍କ ମନରେ କେନ୍ଦ୍ରୀଭୂତ ହୋଇ ରହିଥିଲା । ଏହା ମଧ୍ୟରେ ବୁଡ଼ୁ ପ୍ରଧାନ ନାମକ ଜଣେ ଯୁବକଙ୍କ ବାପା ମନୋଜ ପ୍ରଧାନ ଗତ ୫ ଦିନ ତଳେ ମୃତ୍ୟୁମୁଖରେ ପଡ଼ିଥିଲେ । ସୁବାସ ହିଁ ତାଙ୍କୁ ଗୁଣିଗାରେଡି କରିଛି ବୋଲି ମନୋଜ ବାରମ୍ବାର କହି ଆସୁଥିଲେ। ଫଳରେ ସୁବାସଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିବା ସନ୍ଦେହ ଗତକାଲି ଉଗ୍ରରୂପ ଧାରଣ କରିଥିଲା। ଗ୍ରାମବାସୀ ମେଳି ବାନ୍ଧି ସୁବାସଙ୍କୁ ହତ୍ୟା କରିବାକୁ ରାତାରାତି ଯୋଜନା କରିଥିଲେ ।

ଗତକାଲି ସକାଳେ ସଂଘବଦ୍ଧ ଭାବେ ସୁବାସଙ୍କ ଘରେ ପଶି ଗ୍ରାମବାସୀ ଠେଙ୍ଗାବାଡ଼ିରେ ପିଟି ଥିଲେ। ଏହି ସମୟରେ ପତ୍ନୀ ସନ୍ତୋଷିନୀ, ଦୁଇବର୍ଷର ପୁଅ, ଚାରିବର୍ଷର ଝିଅ ଘରେ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କୁ ପ୍ରତିରୋଧ କରିବାକୁ ସନ୍ତୋଷିନୀ ସାହସ କରି ପାରି ନଥିଲେ । ସ୍ୱାମୀଙ୍କୁ ଛାଡ଼ି ଦେବାକୁ ବାରମ୍ବାର ନେହୂରା ହେଉଥିଲେ ଗ୍ରାମବାସୀ ଶୁଣି ନଥିଲେ । ବାରଣ୍ଡାକୁ ଘୋଷାଡ଼ି ଆଣି ପିଟିବା ପରେ ସୁବାସଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏତିକିରେ ଗ୍ରାମବାସୀଙ୍କ କ୍ରୋଧ ଶାନ୍ତ ହୋଇ ନଥିଲା। ସେମାନେ ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ସୁବାସଙ୍କୁ ଶ୍ମଶାନକୁ ନେଇ ପୋଡ଼ି ଦେଇଥିଲେ।

ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ସନ୍ତୋଷିନୀ ଗାଁଠୁ ୨୩ କିଲୋମିଟର ଦୂର ଦାରିଙ୍ଗବାଡ଼ି ଥାନାରେ କୌଣସି ମତେ ପହଞ୍ଚିଥିଲେ । ଏନେଇ ଏତଲା ଦେବା ପରେ ପୁଲିସ ସଂଗେ ସଂଗେ ବାଡ଼ାବାଙ୍ଗାକୁ ଯାଇଥିଲେ । ଶ୍ମଶାନରେ ସୁବାସଙ୍କ ୮୦ ଭାଗ ଶରୀର ପୋଡ଼ି ଯାଇଥିବା ବେଳେ ଖପୁରୀକୁ ପୁଲିସ ଜବତ କରିଥିଲା । ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ପାଲଟିଥିବା ବେଳେ ୭ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।