କୋଟିପତି ‘ବଣୁଆ ବାବୁ’ ! ବିମୁଦ୍ରାକରଣ ସମୟରେ ଆକାଉଂଟରେ ଜମା କରିଥିଲେ ୩ କୋଟି

45

କନକ ବ୍ୟୁରୋ : କୋଟିପତି ବାବୁ । ସରକାରଙ୍କ ବିମୁଦ୍ରାକରଣ ବେଳେ ଚକମା ଦେଇ ବିଭିନ୍ନ ବ୍ୟାଙ୍କରେ ବାବୁ ଜଣକ ଜମା କରିଥିଲେ କୋଟି କୋଟି ଟଙ୍କା । ଏବେ ଚାଲିଛି ତାହାର ଖୋଲତାଡ । ଦୁଇ ଦିନ ହେଲାଣି ଏହି ଡିଏଫଓଙ୍କ ଘରେ ଆୟକର ବିଭାଗ ଚଢଉ ଜାରି ରଖିଛି । ଅମାପ ସଂପତିର ଚାଲିଛି ହିସାବ ନିକାଶ ।

ଶରତ ଚନ୍ଦ୍ର ପଣ୍ଡା । ଖରିଆଳ ଡିଏଫଓ । ଡିଏଫଓ ଶରତ ବାବୁଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେବେ – କେଉଁଠି – କେତେବେଳେ – କେତେଟଙ୍କା କେଉଁ ବ୍ୟାଙ୍କରେ କେତେ ଟଙ୍କା ଡିପୋଡିଟ କରାଯିବ ସେ ପାଠ ଡିଏଫଓଙ୍କୁ ପୁରା ମାଲୁମ । ଯେତେବେଳେ ବିମୁଦ୍ରାକରଣ ନେଇ ପ୍ରଧାନମନ୍ତ୍ରୀ ନିଜ ଭାଷଣ ରଖିଥିଲେ, ଠିକ ସେତିକି ବେଳେ, ଡିଏଫଓ ଆରମ୍ଭ କରିଥିଲେ ଅଙ୍କକଷା । ମାତ୍ର କିଛିଦିନ ଭିତରେ ନିଜ ପାଖରେ ଠୁଳ କରିଥିବା ୩ କୋଟି ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ।

ଆଇ.ଟି.ର ମୋଟ ୧୦ରୁ ଅଧିକ ଅଫିସରଙ୍କ ଟିମ । ଏକକାଳିନ ଭୁବନେଶ୍ୱରର ଗୌରୀ ନଗର, ନୂଆପଡାର ଖରିଆଳ ଓ ସୋରର ଅନନ୍ତପୁରରେ ଚଢାଉ ଜାରି ରଖିଛନ୍ତି । ଡିଏଫଓଙ୍କର ୨୦ରୁ ଅଧିକ ବ୍ୟାଙ୍କ ଆକାଉଂଟକୁ ଜବତ କରି ଛାନଭିନ ଚାଲିଛି । ପ୍ରାଥମିକ ଭାବେ ଜଣା ପଡିଛି ବିମୁଦ୍ରାକରଣ ସମୟରେ ଡିଏଫଓ ତାଙ୍କ ଆକାଉଂଟରେ ୩ କୋଟି ଟଙ୍କା ଏକକାଳିନ ଜମା କରିଥିଲେ ।

ତେବେ ଜଣେ ଡିଏଫଓ ଏକତକାଳିନ କେଉଁଠୁ ପାଇଥିଲେ ୩ କୋଟି ଟଙ୍କାର ପୁରୁଣା ନୋଟ୍ । ତାଙ୍କ ପାଖକୁ କେମିତି ଆସିଲା ଏତେ ଗୁଡିଏ ଟଙ୍କା । ଟଙ୍କା ଜମା କରିବା ସମୟରେ ଆୟକର ପଇଠ କରିଥିଲେ କି ନାହିଁ । ଗୋଟିଏ ପଟେ ଆଇ.ଟି. ୩ କୋଟିର ହିସାବ ଖୋଜୁଥିବା ବେଳେ, ଆୟକର ଫାଙ୍କିଥିବା ନେଇ ମଧ୍ୟ ଛାନଭିନ କରୁଛି । ଏହି କୋଟିପତି ଡିଏଫଓଙ୍କ ଘରୁ କିଛି ଜରୁରୀକାଳିନ କାଗଜପତ୍ର ଓ ୨ଟି ପ୍ୟାନ କାର୍ଡ ମଧ୍ୟ ଜବତ ହୋଇଛି ।

ଜଣକ ନାଁରେ ୨ଟି ପ୍ୟାନକାର୍ଡ ଥିବା ଜଣା ପଡିଛି । ତେବେ ଜଣକ ନାଁରେ ୨ଟି ପ୍ୟାନକାର୍ଡ କାହିଁକି, କେମିତି ଓ କେଉଁ ପରିସ୍ଥିତିରେ କରଗାଲା ଆଉ ଏହାପଛରେ ଉଦ୍ଦେଶ୍ୟ କଣ ଥାଇପାରେ, ସେନେଇ ଖୋଳତାଡ ଜାରି ରଖିଛି ଆୟକର ବିଭାଗ । ତଦନ୍ତ ପରେ କୋଟିପତି ଡିଏଫଓଙ୍କ ଆଉ କିଛି କାରନାମା ପଦାକୁ ଆସି ବୋଲି ଚର୍ଚ୍ଚା ହେଉଛି ।