ଗାଁ ରାଜନୀତିର ଅଭିମନ୍ୟୁ ! ପଂଚାୟତ ହାରଜିତର ହିସାବ ଭିତରେ ରକ୍ତ ରଂଜିତ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

40

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ସରିଛି । ନେତାମନ୍ତ୍ରୀ ନିଜ ଘରକୁ ଫେରି ହାରଜିତର ହିସାବନିକାଶ କରୁଛନ୍ତି । ହେଲେ ଏ ନିର୍ବାଚନ ପାଇଁ ଗାଁ ପିଣ୍ଢା ରକ୍ତ ରଂଜିତ ହୋଇଛି । ରାଜନୀତି ନାଁରେ ମୁଣ୍ଡ ଗଡିଛି । ଅନେକ ପରିବାରର ଭବିଷ୍ୟତ ଉଜୁଡି ଯାଇଛି । ଖାସକରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ ରାଜନୈତିକ ହତ୍ୟାକାଣ୍ଡର ରିପୋର୍ଟ ହୋଇଛି । ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ଜିଲ୍ଲାର ମର୍ଦ୍ଦକୋଟ ଗାଁର ହତ୍ୟା ଘଟଣା । ଯେଉଁଠି ଗାଁ ରାଜନୀତିର ଚକ୍ରବ୍ୟୁହରେ ପିତାମ୍ବର ସାଜିଛନ୍ତି ଅଭିମନ୍ୟୁ । ଏହି ଘଟଣାରେ ଆଜି ୨୪ ଜଣ ଗିରଫ ହୋଇଛନ୍ତି ।

ପିତାମ୍ୱର ସ୍ୱାଇଁ । ବାହାର ରାଜ୍ୟରେ ରହି କାମ କରନ୍ତି ଶ୍ରମିକ ଭାବରେ । ଝିଅର ନିର୍ବନ୍ଧ ପାଇଁ ଘରକୁ ଆସିଥିଲେ । ହେଲେ ପଞ୍ଚାୟତ ରାଜନୀତି ତାଙ୍କୁ ଅଟକାଇ ଦେଇଥିଲା କିଛିଦିନ ପାଇଁ । ଆଉ ଛୁଟି ସମୟକୁ ସମର୍ପି ଦେଇଥିଲେ ଜଣେ ସ୍ୱାଧୀନ ପାର୍ଥୀଙ୍କ ପାଇଁ । ଯାହା ତାଙ୍କ ପାଇଁ କାଳ ହୋଇଥିଲା । ଭୋଟ୍‍ ପୂର୍ବ ରାତିରେ ଶାସକ ଦଳର କିଛି କର୍ମୀ ପିତାମ୍ୱରଙ୍କୁ ଘରୁ ଘୋଷାରୀ ଆଣି ଦାଣ୍ଡପିଣ୍ଢାରେ ପିଟି ପିଟି ମାରି ଦେଇଥିଲେ ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସରପଂଚ ପ୍ରାର୍ଥୀଙ୍କୁ ହତ୍ୟା ଘଟଣା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ମାର୍‍ପିଟ୍‍, ହଣାକଟା ଭିତରେ ସରିଛି ନିର୍ବାଚନ । ହୁଏତ ନେତାଙ୍କ ପାଇଁ ଏହା ସାଧାରଣ ଘଟଣା ।

କିଛି ଦିନ ଭିତରେ ଜନତାଙ୍କ ଆଙ୍ଗୁଠିରୁ ଲିଭିଯିବ ଭୋଟ୍‍ କାଳି । ଭୋଟ୍‍ ପାଇ ସାଧାରଣ ଲୋକଟିଏ ପାଲଟିଯିବ ନେତା । ହେଲେ ଏ ରାଜନୈତିକ ହିଂସା କିନ୍ତୁ ଗାଁ ମାଟିରେ ରହିଯିବ କଳଙ୍କିତ ଅଧ୍ୟାୟ ହୋଇ ।