ଆଢୁଆଳରେ ଲିଙ୍ଗରାଜ ମନ୍ଦିର, ଜଗମୋହନ ପିଲରରେ ରହିଛି ଫାଟ : ତୁରନ୍ତ ମରାମତି ନକଲେ ସଂଗୀନ ହେବ ସ୍ଥିତି

218

କନକ ବ୍ୟୁରୋ : ପୁରୀ ଜଗନ୍ନାଥ ମନ୍ଦିରର ଜଗମୋହନକୁ ନେଇ ତନାଘନା ଚାଲିଥିବା ବେଳେ ଆଢୁଆଳରେ ରହିଯାଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଲିଙ୍ଗରାଜ ମନ୍ଦିରର ଜଗମୋହନ ପିଲରରେ ଫାଟ ରହିଛି । ଏନେଇ ବଡ ବିପଦ ଆଶଙ୍କା କରିଛନ୍ତି ପତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ । ଜଗମୋହନ ପିଲରରେ ରହିଛି ଫାଟ ରହିଛି ତୁରନ୍ତ ମରାମତି ନକଲେ ସ୍ଥିତି ସଂଗୀନ ହେବ ବୋଲି କହିଛନ୍ତି ଏଏସଆଇ ଟେକନିକାଲ କମିଟି ମୁଖ୍ୟ ଜିସି ମିତ୍ର । ତୁରନ୍ତ ଏହାର ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି । ଜିସି ମିତ୍ରଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ଏଏସଆଇ ରାଜ୍ୟ ମୁଖ୍ୟ ପ୍ରତ୍ନତତ୍ୱବିଦ୍ କ୍ଷମାସାଗର ନାୟକ କହିଛନ୍ତି । ଲିଙ୍ଗରାଜ ମନ୍ଦିରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ ସେବାୟତ ତଥା ଗବେଷକ ଭାଗୀରଥୀ ମହାସୁଆର ।

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ ସୋମବାର । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଏହି ମନ୍ଦିରକୁ ପ୍ରତ୍ୟକେ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସନ୍ତି । ତେବେ ଆଗକୁ ଶ୍ରାବଣ ମାସ ସୋମବାରରେ ମଧ୍ୟ ଅନେକ ଲୋକ ଗହଳି ହେବ । ଏପରିସ୍ଥଳେ ଜଗମୋହନ ପିଲରରେ ଫାଟ ଚିନ୍ତାର ବିଷୟ ପାଲିଟିଛି । ତେବେ ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଈ ସହ ତୁରନ୍ତ କିଛି ପଦକ୍ଷେପ ନେବେ ବୋଲି ଆଶାକରାଯାଉଛି ।

ସୂଚନାଯୋଗ୍ୟ ଏକାଦଶ ଶତାଦବ୍ଦୀରେ ନିର୍ମାଣ ହୋଇଥିଲା ଲିଙ୍ଗରାଜ ମନ୍ଦିର । ୩ ଟି ରାଜାଙ୍କ ପୀଢ଼ିରେ ନିର୍ମାଣ ହୋଇଥିଲାଏହି ମନ୍ଦିର । କୁହାଯାଏ ପ୍ରଥମେ ନିର୍ମାଣ ହୋଇଥିଲା ଲିଙ୍ଗରାଜ ମନ୍ଦିର । ଆଉ ଏହି ମନ୍ଦିର ଶୈଳୀ ଦେଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ହୋଇଥିଲା । ଏହା ଦୃଷ୍ଟିରୁ ଦେଖିବାକୁ ଗଲେ ଲିଙ୍ଗରାଜ ଏକ ପୁରୁଣା ମନ୍ଦିର । ଏହାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ।