କନକ ବ୍ୟୁରୋ : ପତିତଜନଙ୍କୁ ଦର୍ଶନ ଦେବା ସହିତ ଘୋଷଯାତ୍ରା ଶେଷ କରିବା ପରେ ବୁଧବାର ରାତି ଚତୁର୍ଦ୍ଧା ମୂରତି ରତ୍ନମଣ୍ଡପକୁ ବିଜେ କରିବେ। ରଥାରୁଢ଼ ଚତୁର୍ଦ୍ଧା ମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସିଂହଦ୍ୱାରରେ ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରୁଛନ୍ତି । କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟୁଛନ୍ତି । ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରାହ୍ଣ ୩ଟାରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ । ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ । ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛି ।