ପାକିସ୍ତାନକୁ ବଡ଼ ଝଟକା! ୩୫୦ ମିଲିୟନ ଡଲାରର ଅନୁଦାନ ବନ୍ଦ କଲା ଆମେରିକା

50

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନର ଢିଲା ନୀତିରେ ଆମେରିକା କ୍ଷୁବ୍ଧ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ କରି ହକାନି ନେଟ୍‌ଓ୍ଵର୍କକୁ ରୋକିବା ପାଇଁ ପାକିସ୍ତାନ ଯଥୋଚିତ ପଦକ୍ଷେପ ଗ୍ରହଣ କରିନଥିବାରୁ ପାକିସ୍ତାନକୁ ମିଳିବାକୁ ଥିବା ୩୫୦ ମିଲିୟନ ଡଲାର ସାମରିକ ସହାୟତାକୁ ଆମେରିକା ବନ୍ଦ କରିଦେଇଛି । ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ କଂଗ୍ରେସକୁ ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହି ସହାୟତା ପାଇବା ପାଇଁ ଯୋଗ୍ୟତା ହରାଇଛି । ପୂର୍ବରୁ ଯେଉଁ ଆଧାରରେ ଏହି ସହାୟତା ପାକିସ୍ତାନ ପାଉଥିଲା ଚଳିତ ବର୍ଷ ତାହା ପାଇବ ନାହିଁ ବୋଲି ମାଟିସ୍‌ ସ୍ପଷ୍ଟ କରିଛନ୍ତି ।

ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ବିଭିନ୍ନ ଆତଙ୍କବାଦୀ ସଂଗଠନ ପାକିସ୍ତାନ ମାଟିରୁ ସେମାନଙ୍କ ନେଟ୍‌ଓ୍ଵର୍କ ସଂଚାଳନ କରୁଛନ୍ତି ଏବଂ ଭାରତ ଓ ଆଫଗାନିସ୍ତାନରେ ଲଗାତାର ହମ୍‌ଲା କରୁଛନ୍ତି । ଏଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ସଂପର୍କରେ ସବିଶେଷ ତଥ୍ୟ ପ୍ରମାଣ ରହିଥିବା ସତ୍ତ୍ୱେ ପାକ୍‌ ସରକାର ଓ ସେନା କାର୍ୟ୍ୟାନୁଷ୍ଠାନ ନେବାରେ ପଛଘୁଂଚା ଦେଉଥିବାରୁ ପାକିସ୍ତାନକୁ ଆର୍ଥିକ ଓ ସାମରିକ ସହାୟତା ବନ୍ଦ କରିବା ପାଇଁ ଆମେରିକା ଗୁରୁତ୍ୱାରୋପ କରିଛି । ଦକ୍ଷିଣ ଏସିଆରେ ଅସ୍ଥିରତା ସୃଷ୍ଟି ପାଇଁ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଭୂମିକା ଏବଂ ପାକିସ୍ତାନର ନିଷ୍କ୍ରିୟତାକୁ ନେଇ ଟ୍ରମ୍ପ୍‌ ପ୍ରଶାସନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପାକିସ୍ତାନ ସରକାର ଯଦି ନିର୍ଦ୍ଧାରିତ ସମୟସୀମା ଭିତରେ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତା’ହେଲେ ଅନ୍ୟ କଟକଣା ଉପରେ ମଧ୍ୟ ବିଚାର କରାଯିବ ବୋଲି ଆମେରିକା ଚେତାବନୀ ଦେଇଛି । ପାକିସ୍ତାନର ଚୀନ୍‌ ପ୍ରତି ମାତ୍ରାଧିକ ଆନୁଗତ୍ୟ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ସୁରକ୍ଷିତ ରଖିବା ପାଇଁ ଏହାର ନୀତିକୁ ଏବେ ଆମେରିକା ଭଲ ଭାବେ ବୁଝିପାରିଥିବାରୁ ଆଗକୁ ପାକିସ୍ତାନ ପାଇଁ ସଙ୍କଟ ବଢ଼ିବ ବୋଲି କୂଟନୀତିଜ୍ଞମାନେ କହିଛନ୍ତି । ପାକିସ୍ତାନରେ ଏବେ ୫୦ରୁ ଅଧିକ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି । ପାକ୍‌ ଅଧିକୃତ କଶ୍ମୀର ଆତଙ୍କବାଦୀଙ୍କ ତାଲିମସ୍ଥଳ ଏବଂ ଭାରତରେ ଅନୁପ୍ରବେଶ ପାଇଁ କ୍ଷେତ୍ର ପାଲଟିଛି । ସୀମାପାର୍‌ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇକୁ ଆମେରିକା ପୂର୍ଣ୍ଣ ସମର୍ଥନ ଦେବ ବୋଲି ଆଶ୍ୱାସନା ଦେଇଛି ।