ସୁଖୁଛି ଓଡିଶା ଭାସୁଛି ଆନ୍ଧ୍ର ! ଆନ୍ଧ୍ର ପ୍ରଦେଶରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି, ଏଣେ ଡ୍ୟାମରେ ପାଣି କମିବାରୁ ବିଚ୍ଛିନ୍ନାଂଚଳ ପାଇଁ ପ୍ରଶାସନର ବିକଳ୍ପ ବ୍ୟବସ୍ଥା

38

କନକ ବ୍ୟୁରୋ: ଘନଉଛି ବାଲିମେଳା ଜଳ ବିବାଦ । ବାଲିମେଳା ଜଳ ଭଣ୍ଡାର ସୁଖି ଆଁ କରି ଥିବା ବେଳେ ଅତିରିକ୍ତ ପାଣି ନେଇ ଆନ୍ଧ୍ରରେ ଏବେ ବନ୍ୟା ପରିସ୍ଥିତି । ଏପଟେ ପାଣି ଛଡାଯାଇଥିବା ୪୫ବର୍ଷ ପୁରୁଣା ଟନେଲକୁ ବନ୍ଦ କରିବା ପାଇଁ ଲାଗିଛନ୍ତି ଆନ୍ଧ୍ର ଏ.ପି.ଜେନକୋ ଓ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନର ଯନ୍ତ୍ରୀ ଦଳ । ଏଥିସହ ବିଚ୍ଛିନ୍ନାଂଚଳରେ ପି.ଡି.ଏସ କିମ୍ବା ସରକାରୀ ଯୋଜନା ପ୍ରଭାବିତ ଆଶଙ୍କା ଥିବାରୁ ବିକଳ୍ପ ପନ୍ଥା ଆପଣେଇଛି ଜିଲ୍ଲା ପ୍ରଶାସନ ।

ଏପଟେ ଶୁଖିଲା ଓଡ଼ିଶା, ସେପଟେ ଆନ୍ଧ୍ରରେ ବନ୍ୟା । ଏଭଳି ସ୍ଥିତି ସୃଷ୍ଟି ହୋଇଛି ବାଲିମେଳା ଡ୍ୟାମର ଆନ୍ଧ୍ର ଅଂଚଳରେ । ଡ୍ୟାମର ପୁରୁଣା ଟନେଲରୁ ଆନ୍ଧ୍ର ଅତିରିକ୍ତ ପାଣି ନେବା ପରେ ଏହି ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ୪୫ ବର୍ଷ ପୁରୁଣା ଟନେଲରୁ ବାଲିମେଳା ଜଳଭଣ୍ଡାରର ପାଣିକୁ ରୋକିବାକୁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ଆନ୍ଧ୍ର ଏ.ପି.ଜେନକୋ ଓ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନର ଯନ୍ତ୍ରୀ ଦଳ । ଗଭୀର ପାଣି ଭିତରେ ପଥର ଓ ପାଳ ବୋଝେଇ ଅଖା ବସ୍ତା ଛଡା ଯାଉଛି । କିନ୍ତୁ ପାଣିର ସୁଅ ଥମିବାର ନାଁ ଧରୁନି । ଜଙ୍ଗଲ ଭିତରେ ପସିବାରେ ଲାଗିଛି ଜଳଭଣ୍ଡାର ପାଣି ।

 

ଜୁଲାଇ ଠାରୁ ଜୁନ ୱାଟର ଇୟର ଶେଷ ହେବାକୁ ଆହୁରି ୪ ମାସ ବାକି ଅଛି । ଆନ୍ଧ୍ର ପ୍ରାୟ ପୁରା ଭାଗ ପାଣି ନେଇ ସାରିଥିବା ବେଳେ ଓଡିଶା ୩୬ ଟି.ଏମ.ସି ପାଣି ପାଇବାକୁ ବାକି ରହିଛି । ଏବେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୨୨୦୦ କ୍ୟୁସେକ ବେଗରେ ୩.୫ ଟି.ଏସ.ସି ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ୩୨୦୦ କ୍ୟୁସେକ ବେଗରେ ଜଳ ନିଷ୍କାସନ ହେଉଥିବା ଯୋଗୁଁ ଜଳସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ।