ଅହମ୍ମଦାବାଦ ପରେ ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ : ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି , ଆଉ କିଛି ସମୟ ପରେ ଭାରତ-ଆମେରିକା ଇତିହାସରେ ଯୋଡିହେବ ଏକ ନୂଆ ଇତିହାସ

271

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ଅହମ୍ମଦାବାଦରେ ଅଦ୍ଭୁଦପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ପରେ ଆଜି ଦିଲ୍ଳୀ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରମ୍ପଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ରମ୍ପଙ୍କୁ ସ୍ୱାଗତ କରିଛନ୍ତି । ଟ୍ରମ୍ପଙ୍କ ସହ ଆସିଥିବା ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଅନ୍ୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ।

ତାପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ଟ୍ରମ୍ପଦମ୍ପତି । ଏହି ଅବସରରେ ଉଭୟ ରାଜଘାଟରେ ଏକ ଚାରା ରୋପଣ କରିଛନ୍ତି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହେବ ଏବଂ ଭାରତ ଓ ଆମେରିକା ଇତିହାସ ଲେଖାହେବ । ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଟ୍ରମ୍ପଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । ଏହାପରେ ରାତି ପ୍ରାୟ ୧୦ଟାରେ ଆମେରିକା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।