ସକାଳ ବନିଗଲା ସନ୍ଧ୍ୟା ! ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ଆକାଶରେ ଢ଼ାଙ୍କିଗଲା କଳା ବାଦଲ; ଦିନରେ ସୃଷ୍ଟିହେଲା ରାତିର ଭ୍ରମ

ଫୁଲବାଣୀରେ ଉପୁଡିପଡିଗଲା ଗଛ,ଉଡିଗଲା ଘରର ଆଜବେଷ୍ଟ । ୧୮ଟି ଜିଲ୍ଲାରେ ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

1,056

କନକ ବ୍ୟୁରୋ: ସକାଳୁ ସକାଳୁ ରାଜଧାନୀରେ ହଠାତ ବଦଳିଗଲା ପାଗ । ଆକାଶରେ ଢ଼ାଙ୍କିଗଲା କଳା ବାଦଲ । ଏତେ ମାତ୍ରାରେ ବାଦଲ ଢ଼ାଙ୍କି ଯାଇଥିଲା ଯେ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା । ଏହା ସହିତ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବର୍ଷା ହୋଇଛି । ସକାଳ ୮ଟା ୩୦ ସୁଦ୍ଧା ସୋନପୁରରେ ସର୍ବାଧିକ ୫୭ ଦଶମିକ ୮ ମିଲିମିଟର ବର୍ଷା ହୋଇଛି ।

ଏଭଳି ସ୍ଥିତି ୨ଦିନ ଲାଗି ରହିବ ଏବଂ ୨୭ରୁ ପାଗ ବଦଳିବ । ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡରେ ବର୍ଷା ହେବ । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି । ଫୁଲବାଣୀରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି । ହଠାତ ଆକାଶ ଅନ୍ଧାରମୟ ହୋଇଯିବା ସହ ଆରମ୍ଭ ହୋଇଯାଇଥିଲା ବର୍ଷା-ପବନ । ପବନର ପ୍ରକୋପ ଏତେ ଅଧିକ ଥିଲା ପିଲା ପାଠ ପଢ଼ୁଥିବା କୋଚିଂ ସେଂଟରର ଟିଣ ଉଡି ଯାଇଛି । କିଛି ଛାତ୍ରଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସହରର ଥିବା ଗଛ ସହ ବିଦ୍ୟୁତ ଖୁଂଟ ଭାଙ୍ଗି ରାସ୍ତା ଉପରେ ପଡ଼ିଛି ।

ଏକ କାର ଉପରେ ମଧ୍ୟ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତାରେ ଭାଙ୍ଗି ପଡ଼ି ପଡ଼ିଥିବା ଗଛକୁ ଉଠାଇ ରାସ୍ତା ସଫା କରାଯାଉଛି । ସହରରର ବିଦ୍ୟୁତ ଓ ମୋବାଇଲ ନେଟୱାକ ସେବା ବାଧାପ୍ରାପ୍ତ ହୋଇଛି । ଏହା ସହ କିଛି କଚା ଏବଂ ପକ୍କା ଘରର ପାଚେରୀ ଭାଙ୍ଗିଥିବା ସୂଚନା ରହିଛି ।

ଅନ୍ୟପଟେ, ଅଦିନିଆ ବର୍ଷାରେ ଭିଜିଲା ମଣ୍ଡି । ବର୍ଷା ପାଣିରେ ଓଦା ହେଲା କ୍ୱିଂଟାଲ କ୍ୱିଂଟାଲ ଧାନ । ଗତକାଲି ଠାରୁ ବୌଦ୍ଧ ଜିଲ୍ଲାରେ ବର୍ଷା ସହିତ ପବନ ଲାଗି ରହିଛି । ଯାହା ପାଇଁ ଜିଲ୍ଲାର ଅନେକ ମଣ୍ଡିରେ ପାଣି ବର୍ଷା ଜମି ରହିଛି । ଶିମିଳିପଦର, ଶୁଣ୍ଡିପଦର, ବରଗୋଛା, ଲମ୍ବସରି, ସରସରା, ବହିରା ମଣ୍ଡିରେ ଥିବା କ୍ୱିଂଟାଲ କ୍ୱିଂଟାଲ ଧାନରେ ବସ୍ତା ବର୍ଷା ପାଣିରେ ଭିଜୁଛି । ପୂର୍ବରୁ ଜିଲ୍ଲାରେ ୬୫୦ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଥିଲା । ଯାହା ପାଇଁ ୩ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡ଼ି ରହିଥିଲା ।