ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ : ୩୦୭ ପ୍ରାର୍ଥୀଙ୍କ ପାଇଁ ୩ ହଜାର ୨୧୪ କେନ୍ଦ୍ରରେ ଭୋଟିଂ

38

କନକ ବ୍ୟୁରୋ : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ ଟାଯାଏଁ ଚାଲିବ । ୩ ହଜାର ୨୧୪ ଟି ମତଦାନ କେନ୍ଦ୍ରରେ ଚାଲିଛି ଭୋଟିଂ । ମତଦାତା ମାନେ ବୁଥ୍ ଆଗରେ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତ୍ରିପୁରା ବିଧାନସଭା ନିର୍ବାଚନରେ ମୋଟ ୩୦୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୬୦ଟି ବିଧାନସଭା ଆସନ ମଧ୍ୟରୁ ୫୯ଟି ଆସନ ପାଇଁ ଭୋଟିଂ ଚାଲିଛି । ଚରିଲମ୍ ଆସନରେ ସିପିଏମ ପ୍ରାର୍ଥୀଙ୍କ ମୃତ୍ୟୁ ହେବାରୁ ସେଠାରେ ମାର୍ଚ୍ଚ ୧୨ରେ ନିର୍ବାଚନ ହେବ । ୨୫ବର୍ଷ ଧରି ରାଜ୍ୟର ଶାସନଭାର ସମ୍ଭାଳିଥିବା ସିପିଏମର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ବିଜେପି ସହ ଟକ୍କର ହେବାର ସମ୍ଭାବନା ଅଧିକ ରହିଛି । ଅନ୍ୟପଟେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ମୈଦାନକୁ ଓହ୍ଳାଇଛି କଂଗ୍ରେସ । ତେଣୁ ତ୍ରିପୁରା ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ଚାରୋଟି ରାଲି କରି ସମ୍ବୋଧିତ କରିଥିଲେ । ଏହାବ  ବ୍ୟତୀତ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଦଳର ଅନେକ ବଡ଼ ବଡ଼ ନେତା ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରସୋରରେ କରିଥିଲେ । କଂଗ୍ରେସ ତରଫରୁ ରାହୁଲ ଗାନ୍ଧି ଏଠାରେ ନିର୍ବାଚନୀ ପ୍ରଚାର କରିଥିଲେ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମାଣିକ ସରକାର ପୁରା ରାଜ୍ୟରେ ୫୦ରୁ ଅଧିକ ରାଲି କରି ସମ୍ବୋଧିତ କରିଥିଲେ । ତେବେ ନିର୍ବାଚନ ଫଳାଫଳ ଦେଖିଲେ ଜଣାପଡ଼ିବ କାହାର ନିର୍ବାଚନ ପ୍ରଚାର ଜୋରଦାର ଥିଲ କିମ୍ବା ଲୋକେ କାହାକୁ ଅଧିକ ପସନ୍ଦ କରୁଛନ୍ତି ।