ରାୟଗଡାରେ ମାଓ ତାଣ୍ଡବ ! ବିଳମ୍ବିତ ରାତିରେ ଦୋଇକାଲୁ ରେଳଷ୍ଟେସନରେ ମାଓବାଦୀଙ୍କ ବିସ୍ଫୋରଣ

48

କନକ ବ୍ୟୁରୋ : ରାୟଗଡାରେ ଲାଲବାହିନୀର ତାଣ୍ଡବ । ରାୟଗଡା ଜିଲ୍ଲା ଦୋଇକାଲୁ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ କରିଛନ୍ତି ମାଓବାଦୀ । ରାତି ପ୍ରାୟ ୧୨ ବେଳେ ଦୁଇ ଟିମରେ ଆସିଥିବା ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ଦୋଇକାଲୁ ଷ୍ଟେସନରେ ଏଭଳି ଘଟଣା ଘଟାଇଛନ୍ତି । ୩ ମହିଳା ମାଓବାଦୀଙ୍କ ସହ ଆସିଥିବା ଟିମ୍ ଘଂଟାଏ କାଳ ଷ୍ଟେସନରେ ତାଣ୍ଡବ କରିଥିଲେ ।

ଏକ ମାଲଗାଡିର ଇଂଜିନରେ ବିସ୍ଫୋରଣ କରିବା ସହ ଷ୍ଟେସନ୍ ମାଷ୍ଟର ଓ ଡ୍ରାଇଭରଙ୍କ ୱାକିଟକି ଛଡାଇ ନେଇଛନ୍ତି । ପ୍ରଥମେ ଆଦିବାସୀ ଓ ପରେ ହିନ୍ଦିରେ କଥାବର୍ତା ହୋଇଥିଲେ ମାଓବାଦୀ । ମାଓବାଦୀମାନେ ଷ୍ଟେସନ୍ ମାଷ୍ଟରଙ୍କୁ ମଧ୍ୟ ଘଂଟାଏ କାଳ ଅଟକ ରଖିବା ପରେ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ଯିବା ପୂର୍ବରୁ ସେମାନେ ଷ୍ଟେସନ୍ରେ ପୋଷ୍ଟର ଓ ବ୍ୟାନର ଛାଡି ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଓଡିଶା ଗସ୍ତକୁ ବିରୋଧ କରି ମାଓବାଦୀମାନେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି ।

ସେପଟେ ବିସ୍ଫୋରଣ ଯୋଗୁଁ ଅଟକି ରହିଛି ବହୁ ଟ୍ରେନ । ଫଳରେ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏର୍ନାକୁଲମ୍-ହଟିଆ ଏକ୍ସପ୍ରେସ ବୋବଲି ଅଟକି ରହିଥିବା ବେଳେ ବିଶାଖାପାଟଣା-ଦୁର୍ଗ ପାସେଂଜର ଟ୍ରେନ ଜମିଦିପେଟାରେ ଅଟକି ରହିଛି । କୋରପୁଟ-ସମ୍ବଲପୁର ପାସେଂଜର, ବିଶାଖାପାଟଣା-ରାୟପୁର ପାସେଂଜର ଟ୍ରେନ ଗଜପତିନଗରମ୍ରେ ଅଟକି ଥିବା ବେଳେ ପୁରୀ ଅହମଦାବାଦ୍ ଏକ୍ସପ୍ରେସ, ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ ଓ ତିରୁପତି-ବିଳାସପୁର ଏକ୍ସପ୍ରେସ ରାୟଗଡା ଷ୍ଟେସନରେ ଅଟକି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-