ଧର୍ମଘଟର ଧମକ୍

50

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ ମାଲିକ ସଂଘର ଚେତାବନୀ । ବର୍ଦ୍ଧିତ ଟୋଲ ଫି’ ପ୍ରତିବାଦରେ ଯୁଦ୍ଧଂ ଦେହି ଡାକରା । ବୁଧବାରଠାରୁ ୮ଟି ରୁଟରେ ବସ୍ ଚଳାଚଳ ବନ୍ଦ କରିବ ସଂଘ । କଟକ-ଚଣ୍ଡିଖୋଲ ୫ ନମ୍ବର ଜାତୀୟ ରାଜପଥରେ ଥିବା ମଙ୍ଗୁଳି, ଭଦ୍ରକ ଓ ଚଣ୍ଡିଖୋଲ ମଧ୍ୟରେ ଥିବା ପାଣିକୋଇଲି, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ୨୦୩ ନମ୍ବର ଜାତୀୟ ରାଜପଥରେ ଥିବା ପିପିଲି, ଚଣ୍ଡିଖୋଲ ଓ ପାରାଦୀପ ମଧ୍ୟରେ ଥିବା ଶ୍ରୀରାମପୁର ଏବଂ ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବାହାଗୁଡା ଟୋଲଗେଟରେ ବସ ଚଳାଚଳ ବନ୍ଦରହିବ । ଏହି ୫ଟି ବେଆଇନ୍ ଟୋଲ ଗେଟ୍ ସମେତ ସମୁଦାୟ ୮ଟି ରୁଟରେ ବନ୍ଦ ରହିବ ବସ୍ ଚଳାଚଳ । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଟୋଲ ଫି’ ବୃଦ୍ଧି ନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ବୁଧବାରଠାରୁ ଲାଗୁ ହେଉଛି ଏହି ବର୍ଦ୍ଧିତ ଦର । ବସ୍ ପିଛା ୧୦ ହଜାର ବଦଳରେ ୧୨ ହଜାର ଟଙ୍କା ଫି ବାବଦ ଅର୍ଥ ଦେବାକୁ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଯାହାକୁ ବିରୋଧ କରିଛି ବସ୍ ମାଲିକ ସଂଘ ।

ଟୋଲ ଫି ବାବଦକୁୁ ବସ୍ ମାଲିକଙ୍କ ସମେତ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି ଅର୍ଥ । ସଂପୂର୍ଣ୍ଣ ଫି ର ଏକ ତୃତୀୟାଂଶ ବସ୍ ମାଲିକ ଦେବା ପାଇଁ ସ୍ଥିର ହୋଇଥିବା ବେଳେ ଦୁଇ ତୃତୀୟାଂଶ ଯାତ୍ରୀଙ୍କ ପକେଟରୁ ଯିବ ଅର୍ଥ । ଏହି ଆଧାରରେ ଭୁବନେଶ୍ୱରରୁ ପୁରୀ ଯିବା ପାଇଁ ଯାତ୍ରୀଙ୍କୁ ୪ରୁ ୫ ଟଙ୍କା ଯାଏଁ ଅଧିକ ଦେବାକୁ ପଡିବ । ବସ୍ ମାଲିକଙ୍କ ସମେତ ସାଧାରଣ ଯାତ୍ରୀ ମଧ୍ୟ ଜାତୀୟ ରାଜମାର୍ଗ ପ୍ରାଧିକରଣର ଏହି ନିଷ୍ପତିକୁ ବିରୋଧ କରିଛନ୍ତି ।

ବର୍ଦ୍ଧିତ ଟୋଲ ଫି ଆଦାୟ ହେଲେ ସାଧାରଣ ଯାତ୍ରୀଙ୍କ ଠାରୁ ବସ୍ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ବୋଝ ବଢ଼ିବ ବୋଲି ସରକାର ସ୍ୱୀକାର କରିଛନ୍ତି । ତେଣୁ ଏନେଇ ଜାତୀୟ ରାଜମାର୍ଗ ପ୍ରାଧିକରଣ ଏବଂ କେନ୍ଦ୍ର ସରକାରଙ୍କୁ ଏନେଇ ଅବଗତ କରିବୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଗୋଟିଏ ପଟେ ବସ୍ ଚଳାଚଳ ବନ୍ଦ ଚେତାବନୀ । ଅନ୍ୟପେଟ ଟୋଲ ଫି ବୃଦ୍ଧି ନେଇ ହୋଇଛି ବିଧିବଦ୍ଧ ନିଷ୍ପତି । ଆଉ ଏହାରି ଭିତରେ ହଇରାଣ ହେବେ ସାଧାରଣ ଯାତ୍ରୀ ।