ଆସୁଛି ଘୂର୍ଣ୍ଣିବଳୟ ! ଲଘୁଚାପ ଆଶଙ୍କା

41

କନକ ବ୍ୟୁରୋ: ଦିନେ ଦୁଇଦିନ ଭିତରେ ଆଣ୍ଡାମାନ ସାଗର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଆଖପାଖ ବଙ୍ଗୋପ ସାଗରକୁ ପାଖେଇ ଆସିବ । ୨୫ ତାରିଖରୁ ସ୍ୱଳ୍ପ ପରିମାଣର ବର୍ଷା ଆରମ୍ଭ ହେବ । ୨୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ ।

ତେବେ ଘୂର୍ଣ୍ଣିବଳୟର ନିର୍ଦ୍ଦିଷ୍ଟ ରୂପରେଖ ସ୍ପଷ୍ଟ ହେବାକୁ ଦିନେ ଦୁଇଦିନ ଲାଗିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ପୂର୍ବାନୁମାନ ଅନୁଯାୟୀ, ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳକୁ ମୁହାଁଇବା ପରେ ଲଘୁଚାପରେ ପରିଣତ ହେବ । ଫଳରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ଗତକାଲି ଅମୃତସରରୁ ଏକ ମୌସୁମୀ ଟ୍ରଫ୍ ଲାଇନ ବାଲେଶ୍ୱର ଦେଇ ଆଣ୍ଡାମାନ ଉପକୂଳ ପର୍ଯ୍ୟନ୍ତ ଲମ୍ବିଯାଇଛି । ଆଗାମୀ ଦିନରେ ଏହା ଘୂର୍ଣ୍ଣିବଳୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଡ. ସାହୁ ମତ ଦେଇଛନ୍ତି । ଘୂର୍ଣ୍ଣିବଳୟ ନହେବା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ ।

ଗତ ୨୪ ଘଣ୍ଟା ଭିତରେ ଲହୁଣୀପଡ଼ାରେ ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ଯୋଡ଼ା, ରାୟଗଡ଼ା ଜିଲ୍ଲାର କୋଟ୍ରାଗୁଡ଼ା ଏବଂ ଅମ୍ବାଦୋଳାରେ ୧୦ ମି.ମି. ବର୍ଷା ହୋଇଥିଲା । ଗତକାଲି ଭୁବନେଶ୍ୱରର କିଛି ସ୍ଥାନରେ ଅଧଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ସ୍ଥାନରେ ଟୋପାଏ ବର୍ଷା ହୋଇନାହିଁ ।