ଛତିଶଗଡ଼ ମୁହାଁ ଘୂର୍ଣ୍ଣବଳୟ ! ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା

27

କନକ ବ୍ୟୁରୋ: ବଙ୍ଗୋପସାଗରେ ସୃ୍ଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ଛତିଶଗଡ଼ ଅଂଚଳକୁ ଗତି କରିଛି । କିନ୍ତୁ ଉପଯୁକ୍ତ ଚାପ ଅଭାବରୁ ଏହା ଲଘୁଚାପରେ ପରିଣତ ହୋଇପାରିନାହିଁ । ତଥାପି ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରରେ ରାତିରେ ଝିପି ଝିପ୍ ବର୍ଷା ହୋଇଥିବା ବେଳେ ସକାଳୁ ପ୍ରବଳ ମାତ୍ରାରେ ବର୍ଷା ହୋଇଛି ।

ତେବେ ଆଗାମୀ ୨୪ଘଂଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଏହି ସମୟରେ ବର୍ଷା ଅପେକ୍ଷା ବଜ୍ରପାତ ଅଧିକ ବିପଦ ସୃଷ୍ଟି କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମୁଛି ହେଲେ ଏବେ ବି ଜଳଘେରରେ ରହିଛି ତଳିଅଂଚଳ । ସୁବର୍ଣ୍ଣରେଖା ପାଣିରେ ବାଲିଆପାଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଲୁଡ଼ିହ ବ୍ୟାରେଜରୁ ନିଷ୍କାସିତ ହୋଇଥିବା ଜଳ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଯାହାର ପ୍ରଭାବରେ ବାଲିଆପାଳରେ ବ୍ଲକର ଚାରୋଟି ପଂଚାୟତର ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ୧୦ରୁ ଅଧିକ ଗାଁରେ ପାଣି ଘେରରେ ରହିଛି । ବାଲିଆପାଳର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଡ଼ଙ୍ଗା ଉପରେ ଭରଷା କରିଛନ୍ତି ଗାଁ ଲୋକ । ବାଲିଆପାଳର ତଳିଆ ଅଂଚଳରେ ଥିବା ଲୋକେ ଏହି ବନ୍ୟା ସ୍ଥିତି ଯୋଗୁଁ ଆତଙ୍କିତ ଅଛନ୍ତି ।