ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଏହା ଓଡିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ , କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବାପ୍ରଥମ ମାସ ବୋଲି ଗଣନା କରାଯାଇ ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରତମ ମାସର ପ୍ରତମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି ।

ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ । ଏହା ଭୁନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଗୋଟିଏ ଯାତ୍ରା ଦିବସ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ମା’ମାନେ ଷଠୀଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ପଂଚ ପଲ୍ଲବ ଓ ପଂଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ ।

ଓଡିଆ ପରଂପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ ବା ପୁତ୍ର , ତାଙ୍କୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢା ଉପରେ ବସାଇ ଦୁଇ କାନରେ ଫୁଲ୍ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ହଠୀଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ଏହି ବିଶେହ ବିଧିକୁ ପଢୁଆଁବୋଲି ମଧ୍ୟ କୁହାଯାଏ । ପଢୁଆଁ ଶଦ୍ଦଟି ପ୍ରଥମାର ଅପଭ୍ରଂଶ ।

ପରଂପରା ଅନୁଯାୟୀ ଏହିଦିନ ମାମୁଁମାନେ ନୂଆ ଲୁଗା , ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀଙ୍କ ଘରକୁ ଯାଇ ପଢୁଆଁ କରନ୍ତି ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହନ୍ତି । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀପତ୍ର ବ୍ୟବହୃତ ହୁଏନାହିଁ କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ହୁଏ ।