ରାଜ୍ୟ ବିଜେପିର ମିଶନ୍- ୨୦୧୯ ! ୧୨୦ ଆସନ ଦଖଲ ପାଇଁ ରଣନୀତି

41

କନକ ବ୍ୟୁରୋ : ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ୨୦୧୯ ପାଇଁ ବିଜେପିର ରୋଡମ୍ୟାପ୍ । ଓଡ଼ିଶାରେ ଗେରୁଆ ବାନା ଉଠାଇବାକୁ ବିଜେପି କରିଛି ବ୍ୟାପକ ପ୍ରସ୍ତୁତି । ଆଗାମୀ ନିର୍ବାଚନରେ ଆରପାର ଲଢେଇ ପାଇଁ ଅଂକକଶା । ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ସୋମବାର ପଦାଧିକାରୀ ବୈଠକ ପରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ । କେନ୍ଦ୍ରୀୟ ନେତାଙ୍କୁ ଦିଆଯାଇଛି ସଂଗଠନ ସଜାଡିବାର ଦାୟିତ୍ୱ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯେଉଁ ଅଂକ କଶିଛନ୍ତି ତାକୁ କେମିତି ହାସଲ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅନୀଲ ଜୈନଙ୍କୁ ଦିଆଯାଇଛି ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଦାୟିତ୍ୱ । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ନରେନ୍ଦ୍ର ସିଂ ତୋମାର ମଧ୍ୟ ୧୨୦ ଅଂକ ଛୁଇଁବା ପାଇଁ ଦେବେ ଦିଗଦର୍ଶନ ।

ପଂଚାୟତ ନିର୍ବାଚନ ସଫଳତା ପରେ ଉତ୍ସାହିତ ରାଜ୍ୟ ବିଜେପି ଶିବିର ଏବେ ଆଖି ପକାଇଛି ଆଗାମୀ ସାଧାରଣ ନିର୍ବାଚନ ଉପରେ । ୪ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକାରିଣୀରେ ରାଜ୍ୟ ନେତାଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ରାଜ୍ୟ ପ୍ରଭାରୀ ଓ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ପାରିତ ହୋଇଛି ରାଜନୈତିକ ଚିଠା ପ୍ରସ୍ତାବ ।

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପହଂଚିବାକୁ ପ୍ରସ୍ତୁତ ବ୍ଲୁ-ପ୍ରିଂଟ । ବୁଥସ୍ତରରେ ସଂଗଠନକୁ ମଜଭୂତ କରିବା ପାଇଁ ଅମିତ ଶାହ ଯେଉଁ ଦାୟିତ୍ୱ ଦେଇଛନ୍ତି ସେନେଇ ମଧ୍ୟ ସମୀକ୍ଷା କରିଛି ଦଳ । ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସହ ମୁହାଁମୁହିଁ ଲଢେଇ ପାଇଁ ଏକପ୍ରକାର ସମରସଜ୍ଜା ଆରମ୍ଭ କରିଛି ବିଜେପି । ଭୁବନେଶ୍ୱରରୁ ଜ୍ୟେତିପ୍ରକାଶ ଦାସଙ୍କ ରିପୋର୍ଟ, କନକ ନ୍ୟୁଜ ।

ବିଜେପିର ଚାଲିଛି ମାନସ ମନ୍ଥନ । ଚାଲିଛି ରାଜ୍ୟ କାର୍ଯ୍ୟକାରିଣୀ । କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ୪ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତା ମାନେ କାର୍ଯ୍ୟକାରୀଣିରେ ସାମିଲ ହୋଇଛନ୍ତି । ଏହାସହ ବିଜେପିର ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ସୋ÷ଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ସମେତ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଯୋଗ ଦେଇଛନ୍ତି । ଆଗକୁ ଦଳର କଣ କାର୍ଯ୍ୟକ୍ରମ ରହିବ ସେନେଇ ରଣନୀତି ପ୍ରସ୍ତୁତ ହେବ ।