ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି : ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର

44

କନକ ବ୍ୟୁରୋ : ପୁରୀ ଶରଧାବାଲିରେ ତିନିରଥ । ବର୍ଷ ତମାମ ଶ୍ରୀମନ୍ଦିର ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ବଡଠାକୁର, ଜନ୍ମବେଦୀରେ ରଥ ଉପରୁ ଦେଉଛନ୍ତି ଦର୍ଶନ । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ରଥ ଉପରେ ହିଁ ଠାକୁରଙ୍କ ନୀତିକାନ୍ତି କରାଯାଇଛି । ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଆସନ୍ତାକାଲି ଅଡପ ମଣ୍ଡପକୁ ବିଜେ କରିବେ । କାଲି ଘୋଡାଫିଟା ଓ ଚାରମାଳ ବନ୍ଧା ନୀତି ପରେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ଠାକୁର । ରଥାରୁଢ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଶରଧାବାଲିରେ ଭିଡ଼ ଜମୁଛି । ଶୃଙ୍ଖଳତି ଦର୍ଶନ ଓ ଦାନ ଟଙ୍କା ସଂଗ୍ରହ ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା କଟକଣାମାନ ଲଗାଇଛି ।

ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ଆଗରେ ପଠାଇ ଦେଇ ନିଜେ ପୁରୀ ବଳଗଣ୍ଡି ଛକଠାରେ ଅଟକି ରହିଥିଲେ । ଆଉ ଗତକାଲି ରାତି ତମାମ ସେଇଠାରେ ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିବାବେଳେ ଆଜି ସକାଳୁ ଆଳତି ଅବକାଶ ପରେ ପୁଣି ରଥଟଣା ଆରମ୍ଭ ହୋଇଥିଲା । ଭକ୍ତି ଓ ଶ୍ରଦ୍ଧାର ସହ ବଡଠାକୁରଙ୍କୁ ଜନ୍ମବେଦୀ ଅଭିମୁଖେ ଟାଣି ନେଇଥିଲେ ଶ୍ରଦ୍ଧାଳୁ । ଝିପିଝିପି ବର୍ଷା ସତ୍ୱେ ଭକ୍ତଙ୍କ ଉତ୍ସାହରେ ଉଣା ହୋଇନଥିଲା । ଆଉ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ତିନିରଥ ଅଟକି ରହିବା ପରେ ଭକ୍ତଗଣଙ୍କ ଶୁଅ ଏବେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ମୁହାଁଇଛି ।

ତିନି ରଥରୁ ଘୋଡାଫିଟା ଓ ଚାରମାଳ ବନ୍ଧା ନୀତି ସମୟ ସାପେକ୍ଷ ହୋଇଥିବାରୁ ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବା ଆଗରୁ ଭକ୍ତମାନଙ୍କୁ ରଥ ଉପରୁ ହିଁ ଆଶୀର୍ବାଦ କରିବେ ଠାକୁର । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆଜି ରଥ ଉପରେ ହିଁ ସଂପାଦନ ହେବ । ରଥ ଉପରେ ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜନ୍ମଜନ୍ମାନ୍ତରୁ ମୁକ୍ତି ପାଇବା ବିଶ୍ୱାସ ନେଇ ଶରଧାବାଲିରେ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି । କିଏ ଠାକୁରଙ୍କୁ ଦେଖି ଭାବପ୍ରବଣ ହୋଇପଡୁଛି ତ ପୁଣିକିଏ ଖୁସିରେ ବିଭୋର ।

ପୁରୀ ଶରଧାବାଲିରେ ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତିନି ରଥ ଚାରିପଖାରେ ବାରିକେଡ କରାଯିବା ସହ ଅଧିକୃତ ସେବାୟତଙ୍କ ଛଡା ଅନ୍ୟକେହି ରଥ ଉପରେ ଚଢିବା ଉପରେ କଟକଣା ଲଗାଯାଇଛି । ସେହିପରି ବାରିକେଡରେ ଦାନବାକ୍ସ ମଧ୍ୟ ଲଗାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେବାୟତମାନେ ଯେଭଳି ଭକ୍ତଙ୍କଠାରୁ ଦାନ ଟଙ୍କା ନନିଅନ୍ତି ସେଥିପାଇଁ ବନ୍ଦୋବସ୍ତ କରାଯାଇଛି । ହେଲେ ଦାନଟଙ୍କାକୁ ନେଇ ଦଇତାପତି ଓ ପୂଜାପଣ୍ଡା ସେବାୟତଙ୍କ ଭିତରେ କିଛି ବିବାଦ ଉପୁଜିଥିବା ସୂଚନା ମିଳିଛି ।

ସଂପୂର୍ଣ୍ଣ ମାନବୀୟ ଲୀଳାରେ ଜନ୍ମବେଦୀ ବୁଲିବାକୁ ଆସିଛନ୍ତି ବଡଠାକୁର । ୯ଦିନ କାଳ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡରୁ ଭକ୍ତଗଣଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆଜି ରଥ ଉପରେ ଠାକୁରଙ୍କୁ କେବଳ ଶୁଖିଲା ଭୋଗ କରାଯାଇଥିବାବେଳେ ଆସନ୍ତାକାଲି ବାହାରିବ ଆଡପ ଅବଢା ।