‘ଅଧିକ ଥିଲେ ଦିଅ, ଆବଶ୍ୟକ ଥିଲେ ନିଅ’ ! ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ମାଲକାନିଗିରି ସହରର ଯୁବକଙ୍କ ଅଭିନବ ପ୍ରୟାସ

50

କନକ ବ୍ୟୁରୋ : ଅଧିକ ଥିଲେ ଦିଅ, ଆବଶ୍ୟକ ଥିଲେ ନିଅ । ଏହି ବାର୍ତ୍ତା ନେଇ ଲୋକଙ୍କୁ ପୁରୁଣା କପଡା ଓ ଘର କରଣା ସାମଗ୍ରୀ ଯୋଗାଉଛନ୍ତି ମାଲକାନଗିରି ସହରର ଯୁବକ । ଗ୍ରାମାଂଚଳ ପରେ ଏବେ ସହରରେ ସ୍ଥାୟୀ ଭାବେ ଏକ କାଉଂଟର ଖୋଲି ଗରିବ ଲୋକଙ୍କୁ ସେବା ଯୋଗାଉଛନ୍ତି ମାଲକାନଗିରି ଟିମ ୱି କ୍ୟାନର ସଦସ୍ୟ ।

ଗରିବଙ୍କୁ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଛନ୍ତି ମାଲକାନଗିରିର ଯୁବକ । ମାଲକାନଗିରି ବସ ଷ୍ଟାଣ୍ଡ ନିକଟ ବାସହୀନ ଆଶ୍ରୟସ୍ଥଳୀ ନିକଟରେ ଏକ ସ୍ଥାୟୀ କାଉଂଟର ଖୋଲି ଗରିବ, ବାସହରାଙ୍କୁ ସେବା ଯୋଗାଉଛନ୍ତି ଯୁବକ । ଏଠାରେ ଲୋକଙ୍କ ପୁରୁଣା କପଡା, ଛତା, ଯୋତା, ବହି ବସ୍ତାନୀ ଆଦି ସାମଗ୍ରୀକୁ ସଂଗ୍ରହ କରି ସେଗୁଡିକର ମରାମତି କରି ପୁଣି ଗରିବ ଲୋକଙ୍କୁ ବାଂଟୁଛନ୍ତି ଟିମ୍ ଉଇ କ୍ୟାନର ସଦସ୍ୟ ।

କେବଳ ସହରାଂଚଳ ନୁହଁ, ବରଂ ଦୁର୍ଗମ ଗାଁ ଗଣ୍ଡାକୁ ଯାଇ ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଚାଲିଛି ଟିମ ଉଇ କ୍ୟାନ । ସପ୍ତାହରେ ଗୋଟିଏ ଦିନ ସହରର ବିଭିନ୍ନ ସ୍ଥାନରୁ ସାମଗ୍ରୀ ସଂଗ୍ରହ କରି ପ୍ରତି ରବିବାର ଦିନ ଭିନ୍ନ ଗାଁ ଗଣ୍ଡାରେ ବୁଲି ଲୋକଙ୍କୁ ସେଗୁଡିକ ବାଂଟି ଥାନ୍ତି । ମାଲକାନଗିରି ଯୁବକମାନଙ୍କ ଏପରି ପ୍ରୟାସକୁ ପ୍ରଶଂସା କରି ବସଷ୍ଟାଣ୍ଡ ଠାରେ ଏକ ସ୍ଥାୟୀ ଯାଗା ଦେଇ ୱାଲ ଅଫ ହ୍ୟୁମାନିଟି ସ୍ଥାପନ କରିବାରେ ସହାୟତା କରିଛି ଜିଲ୍ଲା ପ୍ରଶାସନ । କେବଳ କପଡା ବାଂଟିବା ନୁହଁ, ପ୍ରଚଣ୍ଡ ଖରାରୁ ମାଲକାନଗିରିବାସୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ‘ଟିମ ଉଇ କ୍ୟାନ’ ସହରର ଭିନ୍ନ ଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାର ଲକ୍ଷ୍ୟ ରଖିଛି ।