ମହଙ୍ଗା ପଡିଲା ହେୟାର ଷ୍ଟାଇଲ, ଚୁଟି କାଟିଦେଲେ ଗୁରୁମା ! କପତେଶ୍ୱର ସ୍କୁଲର ୧୦ ଜଣ ଛାତ୍ରଙ୍କ ଚୁଟି କାଟିବା ପରେ ଅଭିଭାବକଙ୍କ ହୋ ହାଲ୍ଲା

99

କନକ ବ୍ୟୁରୋ : ମହଙ୍ଗା ପଡିଲା ହେୟାର ଷ୍ଟାଇଲ । ଚୁଟି କାଟିଦେଲେ ଗୁରୁମା । ପୁରୀ ଜିଲ୍ଲା ଚନ୍ଦନପୁରର କପତେଶ୍ୱର ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଗତକାଲି ଖେଳ ପିରିୟଡରେ ସ୍କୁଲର କ୍ରୀଡା ଶିକ୍ଷୟିତ୍ରୀ ପିଲାଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ ହୋଇଛି । କଇଁଚି ଧରି ରାସ୍ତା ଉପରେ ପିଲାଙ୍କୁ ଛିଡା କରି କ୍ରୀଡା ଶିକ୍ଷୟିତ୍ରୀ ତାଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ କରି ଅଭିଭାବକ ହୋହାଲ୍ଲା କରିଛନ୍ତି । ପ୍ରାୟ ୧୦ରୁ ଅଧିକ ପିଲାଙ୍କ ଚୁଟି କାଟି ଦେଇଥିବା କହିଛନ୍ତି ଅଭିଭାବକ ।

ପିଲାଙ୍କୁ ଚୁଟି କାଟି ସ୍କୁଲ ଆସିବା ପାଇଁ ବାରମ୍ବାର ତାଗିଦ ପରେ ମଧ୍ୟ ପିଲାମାନେ ତାଙ୍କ କଥା ମାନିନଥିବାରୁ ଏପରି କରି ଥିବା କହିଛନ୍ତି ସମ୍ପୃକ୍ତ କ୍ରୀଡା ଶିକ୍ଷୟିତ୍ରୀ । ଏପରିକି ବଡ ବଡ ଚୁଟି ରହିବା ଦ୍ୱାରା ଥଣ୍ଟା ଜ୍ୱର ହେଉଥିବାରୁ ଶିକ୍ଷୟତ୍ରୀ ଚୁଟି କାଟିଥିବା କହିଛନ୍ତି । ତେବେ ଏହି ଘଟଣା ପରେ ଭୟରେ ପିଲାମାନେ ସ୍କୁଲ ଆସିବା ପାଇଁ ମନା କରିଦେଇଥିଲେ । ଏବଂ ଅଭିଭାବକ ମାନେ ସ୍କୁଲକୁ ଆସି ହୋହାଲ୍ଲା କରିଥିଲେ । ଏପରିକି ଯଦି ଶିକ୍ଷୟତ୍ରୀଙ୍କୁ ପିଲାଙ୍କ ହେୟାର ଷ୍ଟାଇଲ ଭଲ ଲାଗୁନଥିଲା ତେବେ ସ୍କୁଲ ପରିଚାଳନା କମିଟିକୁ କହି ପାରିଥାନ୍ତେ ବୋଲି ଅଭିଭାବକ ମାନେ କହିଥିଲେ । କିନ୍ତୁ ଏପରି ନକରି ସିଧାସଳଖ ପିଲାଙ୍କ ଚୁଟି କାଟି ଦେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ପରେ ସଂପୃକ୍ତ ଶିକ୍ଷୟତ୍ରୀ ଭୁଲ ମାଗିଥିବା ଜଣା ପଡିଛି ।