ଲୋକସଭାରେ ହଙ୍ଗାମା ଯୋଗୁଁ ଆସିପାରିଲାନି ଅନାସ୍ଥା ପ୍ରସ୍ତାବ ! ନୋଟିସ ଦେଲେ ଟିଡିପି ଓ ୱାଇଏସଆର କଂଗ୍ରେସ

30

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଆଜି ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରିନାହିଁ । ବାରମ୍ବାର ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି । ସରକାରଙ୍କ ବିରୋଧରେ ଆଜି ୱାଇଏସଆର କଂଗ୍ରେସ ଓ ତେଲୁଗୁ ଦେଶମ ପାର୍ଟି ଦ୍ୱିତୀୟ ଥର ପାଇଁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ । କିନ୍ତୁ ହଙ୍ଗାମା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ଏବେ ସମସ୍ତଙ୍କ ନଜର ଆସନ୍ତାକାଲିର ଗୃହକାର୍ଯ୍ୟ ଉପରେ ନଜର ରହିଛି । ଆଜି ୧୧ଟାରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ୧୨ଟା ପରେ ବି ହଙ୍ଗାମା ଜାରି ରହିଥିଲା । ହଙ୍ଗାମା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ହଙ୍ଗାମା ଜାରି ରହିବାରୁ କାଲି ଯାଏଁ ଲୋକସଭା ମୁଲତବୀ ରହିଛି । ପ୍ରସ୍ତାବ ସପକ୍ଷରେ ୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଛି । ଶିବସେନା ଆଲୋଚନାରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ରାଜ୍ୟସଭା ବି କାଲି ଯାଏଁ ମୁଲତବୀ ରହିଛି ।

ଲୋକସଭାରେ କାହା ପାଖରେ କେତେ ସିଟ୍ ଜାଣନ୍ତୁ ?
ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଆସନ୍ତୁ ଜାଣିବା ଲୋକସଭାରେ କାହା ପାଖରେ କେତେ ସିଟ୍ ଅଛି । ବିଜେପି ପାଖରେ ୨୭୪ ସିଟ୍ ରହିଥିବା ବେଳେ ବିରୋଧୀ କଂଗ୍ରେସ ପାଖରେ ରହିଛି ୪୮ଟି ସିଟ୍ । ଏଆଇଏଡିଏମକେ ପାଖରେ ୩୭ଟି ସିଟ୍ ରହିଛି । ତୃଣମୂଳ କଂଗ୍ରେସ ପାଖରେ ଲୋକସଭାରେ ୩୪ ଜଣ ସାଂସଦ ଅଛନ୍ତି । ସେହିପରି ବିଜେଡିର ଲୋକସଭାରେ ୨୦ ଜଣ ସାଂସଦ ଥିବା ବେଳେ ଶିବସେନାର ୧୮ ଜଣ ସାଂସଦ ଅଛନ୍ତି । ଅନାସ୍ଥା ପ୍ରସ୍ତାବ ଆଣିଥିବା ଟିଡିପିର ୧୬ ଜଣ ଓ ୱାଇଏସଆର କଂଗ୍ରେସର ୯ ଜଣ ଲୋକସଭା ସାଂସଦ ଅଛନ୍ତି । ଲୋକସଭାରେ ଟିଆରଏସର ୧୧ ସାଂସଦ ଥିବା ବେଳେ ସିପିଏମର ୯, ଏନସିପିର ୬ ଜଣ ଓ ଆରଜେଡିର ୪ ଜଣ ସାଂସଦ ଅଛନ୍ତି । ଜେଡିୟୁ ପାଖରେ ୨ ଜଣ ଲୋକସଭା ସାଂସଦ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କ ପାଖରେ ୩୮ ସିଟ୍ ରହିଛି ।