ସ୍ୱାଇନ୍ ଫ୍ଲୁ ନେଲା ଆଉ ଏକ ଜୀବନ ! ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

52

କନକ ବ୍ୟୁରୋ: ସ୍ୱାଇନ୍ ଫ୍ଲୁରେ ମଙ୍ଗଳବାର ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ ସେ ଭିମସାରରେ ଚିକିତ୍ସିତ ହେଉଥିଲେ । ତାଙ୍କ ବୟସ ୪୫ବର୍ଷ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ଚଳିତବର୍ଷ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ଅପରପକ୍ଷରେ ମଙ୍ଗଳବାର ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଚଳିତବର୍ଷ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ଡେଇଁ ଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ୨୯ଟି ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରୁ ୧୪ଟି ନମୁନା ପଜଟିଭ୍ ରହିଛି । ଏଥିରେ ୯ଜଣ ପୁରୁଷ ରହିଥିବା ବେଳେ ୫ଜଣ ମହିଳା ରହିଛନ୍ତି । ଜଣେ ଶିଶୁ ରହିଛନ୍ତି । ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସର୍ବାଧିକ ୩ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ଏହାସହ ବଲାଙ୍ଗୀର ଜିଲ୍ଲା ୨, ଅନୁଗୁଳ, ଜଗତସିଂହପୁର, ଗଞ୍ଜାମ, ସୋନପୁର, ବରଗଡ଼ ଓ କନ୍ଧାମାଳ ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏସସିବି ଓ ଭିମସାରରେ ୩ଜଣ ଲେଖାଏଁ, ଏମ୍ସ, ଏମକେସିଜି ଓ ଭୁବନେଶ୍ୱରର ରେଳବାଇ ହସ୍ପିଟାଲରେ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଚଳିତବର୍ଷ ଏପର୍ଯ୍ୟନ୍ତ ମୋଟ ୯୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ୩୧୧ଜଣ ଆକ୍ରାନ୍ତ ରହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ସ୍ୱାଇନ୍-ଫ୍ଲୁର ଆତଙ୍କକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଥିବା ଆଇସୋଲେସନ୍ ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ଏହାସହ ୪ଟି ମନିଟରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆବଶ୍ୟକ ପରିମାଣର ଔଷଧ ଓ ମାସ୍କ ମଧ୍ୟ ଯୋଗାଇ ଦିଆଯାଇଛି ।