ସାଂଘାତିକ ହେଉଛି ସ୍ୱାଇନ୍ ଫ୍ଲୁ ! ପୁଣି ୨ମୁଣ୍ଡ ଗଡ଼ିବା ସହ ମୃତ୍ୟୁ ସଂଖ୍ୟା ୨୬ରେ ପହଁଚିଛି

46

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ୍ ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଯେତେ ଯାହା କଲେ ବି ବୋଲ ମାନୁନି । ପ୍ରତ୍ୟକ ଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଦୁଇ ଜଣଙ୍କ ମୃତ୍ୟୁ ସହ ସ୍ୱାଇନ୍ ଫ୍ଲୁ ମୃତକଙ୍କ ସଂଖ୍ୟା ୨୬ରେ ପହଁଚିଛି । ଗତକାଲି ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଜଣେ କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ୮୬ ବର୍ଷର ବୃଦ୍ଧ ହୋଇଥିବାବେଳେ କିମସରେ ୫୫ ବର୍ଷିୟ ମହିଳା ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତକାଲି ୨୯ଟି ସାମ୍ପୁଲ ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୯ଟିରେ ପଜିଟିଭ୍ ବାହାରିଛି । ଏ ପର୍ଯ୍ୟନ୍ତ ୮୩୯ଟି ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୨୯୦ଟି ସାମ୍ପୁଲ ପଜିଟିଭ୍ ବାହାରିଛି । ଏଥିରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨ଜଣ, ଆପୋଲୋରେ ୨ଜଣ, ସମ୍ ହସ୍ପିଟାଲରେ ଦୁଇ ଜଣ,କିମ୍ସରେ ଦୁଇ ଜଣ, କର କ୍ଲିନିକରେ ଜଣେ, ଅଶ୍ୱିନୀ ହସ୍ପିଟାଲରେ ଜଣେ ରୋଗୀଙ୍କର ସ୍ୱାଇନ୍ ଫ୍ଲୁ ନମୁନା ପଜିଟିଭ୍ ବାହାରିଛି ।

ଗତକାଲି ୯ଟି ସାମ୍ପୁଲ୍ ପଜିଟିଭ୍ ବାହାରିଥିବାବେଳେ ଏଥିରେ ୬ଜଣ ପୁରୁଷ ଏବଂ ୩ଜଣ ମହିଳା ଅଛନ୍ତି । ପୁରୁଷଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି । ସେହିପରି ବାକି ୫ଜଣଙ୍କର ବୟସ ୪୦,୪୫,୫୨,୫୭ ଓ ୮୦ ବର୍ଷ ବୋଲି ଜଣାପଡ଼ିଛି । ସାମ୍ପୁଲ୍ ପଜିଟିଭ୍ ଥିବା ମହିଳାଙ୍କ ବୟସ ୩୬, ୩୮ ଓ ୫୫ ବର୍ଷ ବୋଲି ଜଣାପଡ଼ିଛି । ଗତକାଲି ସ୍ୱାଇନ୍ ଫ୍ଲୁ ପଜିଟିଭ୍ ବାହାରିଥିବା ଲୋକଙ୍କ ମଧ୍ୟରୁ କେନ୍ଦୁଝରର ୨ଜଣ, ଜଗତସିଂହପୁରର ୨ଜଣ, ଖୋର୍ଦ୍ଧାରେ ୨ଜଣ, ନୟାଗଡ଼ରେ ଜଣେ, ଗଞ୍ଜାମରେ ଜଣେ ଏବଂ ସୁନ୍ଦରଗଡ଼ର ଜଣେ ଅଛନ୍ତି ବୋଲି ଜଣାପଡ଼ିଛି ।