ସୁପ୍ରିମକୋର୍ଟ ସଂକଟର ସମାଧାନ ପାଇଁ ଫିଟୁଛି ବାଟ ! ବିବାଦ ଭିତରେ ଆବେଗ, ଟି-ପାର୍ଟି ବେଳେ କାନ୍ଦି ପକାଇଲେ ବିଚାରପତି

39

କନକ ବ୍ୟୁରୋ : ଖୁବଶୀଘ୍ର ହୋଇପାରେ ସୁପ୍ରିମକୋର୍ଟ ସଂକଟର ସମାଧାନ । ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜାରି ରହିଥିବା ସଂକଟ ଉପରେ ଆଜି ସାରା ଦେଶର ନଜର ରହିଥିଲା । ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ୪ ଜଣ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ଫଳରେ ବିବାଦର ସମାଧାନ ପାଇଁ ଆଶା ସଂଚାର ହୋଇଛି । କାରଣ, ତାଙ୍କ କାର୍ଯ୍ୟଧାରା ବିରୋଧରେ ଏହି ବରିଷ୍ଠ ବିଚାରପତିମାନେ ପ୍ରଶ୍ନ ଉଠାଇଥିଲେ । ଆସନ୍ତାକାଲି ମଧ୍ୟ ବିଚାରପତିଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

supreme court୪ ଦିନ ଧରି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଜାରି ରହିଥିବା ସଂକଟର ଅବସାନ ପାଇଁ ଆଜି ବାଟ ଫିଟିଛି । ଏହି ସଂକଟର ସମାଧାନ ଲାଗି ସମସ୍ତଙ୍କ ନଜର ଥିଲା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଉପରେ । କାରଣ ଗତ ଶୁକ୍ରବାର ଦିନ ଜଷ୍ଟିସ୍ ଜେ ଚେଲାମେଶ୍ୱର, ରଂଜନ ଗୋଗଇ, ମଦନ ଲୋକୁର, ଜୋସେଫ୍ କୁରିୟନ୍ ଅଭିଯୋଗ ଆଣିଥିଲେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଧାରାକୁ ନେଇ । ଆଜି ଜଷ୍ଟିସ ଦୀପକ ମିଶ୍ର ଏହି ଚାରି ଜଣ ବିଚାରପତିଙ୍କୁ ଭେଟି ସେମାନଙ୍କ ସହ ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆସନ୍ତାକାଲି ମଧ୍ୟ ବିଚାରପତିଙ୍କ ମଧ୍ୟରେ ଆଲୋଚନା ଚାଲିବ ଏବଂ ସବୁ କିଛି ଠିକ୍ ଦିଗରେ ଚାଲିଛି ବୋଲି ମଧ୍ୟ ସୂଚନା ମିଳିଛି । ଆଉ ଦୁଇ-ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଆଟର୍ଣ୍ଣିଂ ଜେନେରାଲ୍ ଭେନୁଗୋପାଲ୍ ।

ସୁପ୍ରିମକୋର୍ଟ ସଙ୍କଟର ସମାଧାନ ନେଇ ଆଟର୍ଣ୍ଣିଂ ଜେନେରାଲ୍ କୁହନ୍ତୁ କିମ୍ବା ବାର କାଉନସିଲ ଅଧ୍ୟକ୍ଷ ଯାହା କୁହନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ବିବାଦର ସମାଧାନ ପାଇଁ ଆଗକୁ ଆସିଛନ୍ତି ପ୍ରଧାନ ବିଚାରପତି । ଯେଉଁ ଚାରି ଜଣ ବରିଷ୍ଠ ବିଚାରପତି ଅଭିଯୋଗ ଆଣିଥିଲେ ସେମାନଙ୍କ ସହ ଆଲୋଚନା କରି ସମାଧାନର ଆଶା ଦେଖାଇଛନ୍ତି । ତେବେ ଗତକାଲି ଅର୍ଥାତ୍ ସୋମବାର ଦିନ ସୁପ୍ରମକୋର୍ଟର ଜଜେସ୍ ଲାଉଂଜରେ ବେଶ୍ ଆବେଗପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । କାରଣ ଶୁକ୍ରବାର ଘଟଣା ପରେ ପରସ୍ପରକୁ ଭେଟୁଥିଲେ ବିଚାରପତି ।

Supreme-Court-controversy-Bar-Association-meeting-convenes-today-can-resolve-dispute-todayସୁପ୍ରିମକୋର୍ଟ ଜଜେସ୍ ଲାଉଞ୍ଜ । ସୋମବାର, ପ୍ରାୟ ସକାଳ ୧୦ଟା ।ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ପୂର୍ବରୁ ସବୁଦିନ ଭଳି ଏଠାରେ ଏକାଠି ହୋଇଥିଲେ ବିଚାରପତି । ବର୍ଷ ବର୍ଷ ଗଡିଆସିଛି ଏହି ପରମ୍ପରା, ସକାଳ ଚା’ପାନ ସହ କିଛି ସମୟ ଏଠାରେ କଟାଇଥାନ୍ତି ବିଚାରପତି । ଇଣ୍ଡୋ-ଏସିୟାନ୍ ନ୍ୟୁଜ ସର୍ଭିସ ରିପୋର୍ଟ ଅନୁସାରେ ସୋମବାର ସକାଳେ ଦେଖିବାକୁ ମିଳିଥିଲା ଆବେଗମୟ ବାତାବରଣ । କାରଣ ଶୁକବ୍ରାର ଦିନର ଘଟଣା ପରେ ପ୍ରଥମ ଥର ସାମନା ସାମନି ହେଉଥାନ୍ତି ବିଚାରପତି । ଜଷ୍ଟିସ୍ ଅରୁଣ ମିଶ୍ର, ଅନ୍ୟ ବିଚାରପତିଙ୍କୁ କହିଥିଲେ ତାଙ୍କୁ ଅନ୍ୟାୟ ଭାବେ ଅଯଥାରେ ଟାର୍ଗେଟ କରାଯାଇଛି । ପୂର୍ବ ପ୍ରଧାନ ବିଚାରପତି ମଧ୍ୟ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଦେଇଛନ୍ତି । ହେଲେ ତାଙ୍କର କାର୍ଯ୍ୟଦକ୍ଷତା, ସାଧୁତା ଓ ଅଖଣ୍ଡତା ଉପରେ ଏବେ ପ୍ରଶ୍ନ ଉଠାଯାଇଛି । ଏକଥା କହିବା ବେଳେ ଦୁଃଖରେ ଭାଙ୍ଗି ପଡିଥିଲେ ୬୨ ବର୍ଷୀୟ ଜଷ୍ଟିସ୍ ଅରୁଣ ମିଶ୍ର । ଏହା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ ଚେଲାମେଶ୍ୱର ତାଙ୍କୁ ପ୍ରବୋଧନା ଦେଇଥିଲେ । ଜଷ୍ଟିସ ଚେଲାମେଶ୍ୱର ତାଙ୍କ ହାତକୁ ଧରିଥିଲେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ତାଙ୍କ ଚ୍ୟାମ୍ବରକୁ ବାଟ କଢେଇ ନେଇଥିଲେ । ଜଷ୍ଟିସ ଚେଲାମେଶ୍ୱର କହିଥିଲେ ସେମାନେ ବ୍ୟକ୍ତିଗତ ଭାବେ ତାଙ୍କୁ ଟାର୍ଗେଟ କରିନାହାନ୍ତି, ବରଂ ଏକ ପ୍ରସଙ୍ଗ ଉଠାଇଛନ୍ତି । ଆଇଏଏନ୍ଏସ୍ ରିପୋର୍ଟ ଅନୁସାରେ ସୋମବାର ଦିନ ସାଢେ ୧୦ଟା ବଦଳରେ ୧୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା କୋର୍ଟ ।