ସାତକୋଶିଆରେ ଆତଙ୍କ ଖେଳାଇଛି ସୁନ୍ଦରୀ : କାବୁ କରିବାକୁ ଅଭୟାରଣ୍ୟ ଗଲା ଟ୍ରାଙ୍କୁଲାଇଜ ଟିମ, ଡେରାଡୁନରୁ ଆସୁଛନ୍ତି ବିଶେଷଜ୍ଞ

27

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟରେ ବଢ଼ି ଚାଲିଛି ସୁନ୍ଦରୀ ଆତଙ୍କ । ଗତକାଲି ବାଘୁଣୀ ପୁଣି ଜଣେ ମଣିଷ ଶିକାର କରିବା ପରେ ନିକଟବର୍ତ୍ତି ଗାଁରେ ଆତଙ୍କ ଖେଳିଯାଇଛି । ତେଣୁ ବାଘୁଣୀକୁ ଧରିବା ପାଇଁ ସେଠାକୁ ଯାଇଛନ୍ତି ଟ୍ରାଙ୍କୁଲାଇଜ୍ ଟିମ୍ । ଟାଙ୍କୁଲାଇଜ୍ ଟିମ୍ରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତୁ ବିଶେଷଜ୍ଞ ଆସିଛନ୍ତି । ସେମାନଙ୍କ ସହ ଆଲୋଚନା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ । ଗତକାଲି ପୁରୁଣାକୋଟ୍ ଥାନା ଟାଇଁସି ଗାଁରେ ଜଣେ ବୃଦ୍ଧଙ୍କୁ ବାଘୁଣୀ ଶିକାର କରିବା ପରେ ଲଙ୍କାକାଣ୍ଡ କରିଛନ୍ତି ଗ୍ରାମବାସୀ ।

ବାଘକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ହଜାର ହଜାର ବନବାସୀ ୫୫ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏକାଠି ହୋଇ ପୋଡାଜଳା କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପୁଲିସ୍ ଉଦ୍ୟମ କରିବାରୁ ମୁହାଁମୁହିଁ ହୋଇଥିଲେ । ଲୋକଙ୍କ ଉପରକୁ ପୁଲିସ୍ ଲାଠିଚାର୍ଜ, ଫାଙ୍କା ଗୁଳିଚାଳନା କରିଥିବାବେଳେ ଉତ୍ୟକ୍ତ ଲୋକମାନେ ଢ଼େଲା, ପଥର ବର୍ଷା କରିଛନ୍ତି । ପୁଲିସର ଦୁଇଟ୍ ଭ୍ୟାନକୁ ପୋଡି ଦେଇଥିବାବେଳେ ଏକାଧିକ ଗାଡି ଭଙ୍ଗାରୁଜା କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି । କିନ୍ତୁ ପରିବାରର ଜଣଙ୍କୁ ଚାକିରି ଦେବା ଦାବି କରିଛନ୍ତି ଆନ୍ଦୋଳନକାରୀ । ତେବେ ଏସପି କହିଛନ୍ତି ସାଧାରଣ ଲୋକଙ୍କ ନାଁରେ ହିଂସା ସୃ୍ଷ୍ଟି କରୁଛନ୍ତି କେତେକ ଅସାମାଜିକ ବ୍ୟକ୍ତି ।