ସାତକୋଶିଆରେ ସୁନ୍ଦରୀ ଖୋଜା : ମଞ୍ଚା କରି ବାଘୁଣୀ ଉପରେ ନଜର ରଖିଛନ୍ତି ଟ୍ରାଙ୍କୁଲାଇଜର୍ ଟିମ୍, ରେଡିଓ କୋଲାର ଜରିଆରେ କରାଯାଉଛି ଠାବ

40

କନକ ବ୍ୟୁରୋ : ସାତକୋଶିଆରେ ଚାଲିଛି ସୁନ୍ଦରୀ ଖୋଜା । ସାତକୋଶିଆରେ ଆତଙ୍କ ଖେଳାଇଥିବା ସୁନ୍ଦରୀକୁ କାବୁ କରିବା ପାଇଁ ଦ୍ୱିତୀୟ ଦିନରେ ଜାରି ରହିଛି ଅପରେସନ ସୁନ୍ଦରୀ । ବାଘୁଣୀକୁ କାବୁ କରିବାକୁ ସାତକୋଶିଆ ଜଙ୍ଗଲରେ ମଂଚାବାନ୍ଧି ଜଗି ବସିଛନ୍ତି ବିଶେଷଜ୍ଞ ଦଳ । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଘଂଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ୬ଜଣିଆ ବିଶେଷଜ୍ଞ । ଯେ କୌଣସି ସମୟରେ ସୁନ୍ଦରୀକୁ କାବୁ କରିବାକୁ ଆବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ପ୍ରସ୍ତୁତ ଅଛନ୍ତି ଏହି ଟିମ୍ । ରେଡିଓ କୋଲାର ଦ୍ୱାରା ଅବସ୍ଥିତି ଜାଣିବାକୁ ଚେଷ୍ଟା କରାଯାଉଛି ।

ବେଳେ ବେଳେ ରେଡିଓ କୋଲାର କାମ କରୁନଥିବାରୁ ବାଘୁଣୀର ଉପସ୍ଥିତି ଜଣାପଡୁନାହିଁ । ଯାହା ବିଶେଷଜ୍ଞଙ୍କୁ ଅଡୁଆରେ ପକାଉଛି । ତେବେ ପ୍ରଥମ ଦିନରେ ବାଘୁଣୀକୁ କାବୁ କରିବାକୁ ବିଫଳ ହୋଇଥିବା ଟିମ୍ ଆଜି ଧରିବାରେ ସଫଳ ହେବେ ବୋଲି କୁହାଯାଉଛି । ବାଘ ଏକ ହିଂସ୍ର ପ୍ରାଣୀ ହୋଇଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ସ୍ୱତନ୍ତ୍ର କୌଶଳ ଓ ଯନ୍ତ୍ରପାତିର ସହାୟତା ନେଉଛି ଟିମ୍ । ଅନ୍ୟପଟେ ବାଘୁଣୀ ଯୋଗୁଁ କୁମୁରୀ ଓ ଏହାର ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁରେ ତାଟିକବାଟି ପଡିଯାଇଛି । ଘରୁ ପଦାକୁ ବାହାରକୁ ବାହାରିବାକୁ ଡରୁଛନ୍ତି ଗ୍ରାମବାସୀ ।