କ୍ରାଇମ୍ ‘ସୋ’ର ଆଙ୍କର ପାଲଟିଲେ ଆଜୀବନ କଏଦୀ ! ପତ୍ନୀ ହତ୍ୟା ଅଭିଯୋଗରେ ୧୭ ବର୍ଷ ପରେ ଆସିଲା ରାୟ

41

କନକ ବ୍ୟୁରୋ : କ୍ରାଇମ୍ ‘ସୋ’ର ଆଙ୍କର ପାଲଟିଲେ ଆଜୀବନ କଏଦୀ । ପତ୍ନୀ ହତ୍ୟା ଅଭିଯୋଗରେ ୧୭ ବର୍ଷ ପରେଆସିଲା ରାୟ । ଇଣ୍ଡିଆଜ୍ ମୋଷ୍ଟ ୱାଂଟେଡର ଆଙ୍କର ସୁହେବ ଇଲିୟାସୀଙ୍କୁ ହୋଇଛି ଆଜୀବନ ଜେଲ୍ । ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଟିଭି ଆଙ୍କର ସୁହେବ ଇଲିୟାସୀକୁ ଆଜୀବନ ଜେଲ । ଦିଲ୍ଲୀ ସେସନ୍ କୋର୍ଟ ସୁହେବଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ୯୦ ଦଶକରେ ଟେଲିଭିଜନର ସବୁଠାରୁ ଲୋକପ୍ରିୟ କ୍ରାଇମ ସୋ ଇଣ୍ଡିଆଜ ମୋଷ୍ଟ ୱାଂଟେଡର ଆଙ୍କରିଂ କରୁ କରୁ ସୁହେବ ନିଜେ ପାଲଟି ଯାଇଥିଲା କ୍ରିମିନାଲ୍ । ଯିଏ ଦିନେ ଦେଶର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଭୟର କାରଣ ପାଲଟିଥିଲେ, ଆଜି ସେହି ଟିଭି ସୋ’ର ଆଙ୍କରର ଅପରାଧର ଫୈସଲା କରିଛନ୍ତି କୋର୍ଟ । ଆଜୀବନ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପତ୍ନୀ ଅଂଜୁ ଇଲିୟାସୀଙ୍କ ବାପା ମାଆଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି କୋର୍ଟ ।

୨୦୦୦ ମସିହା ଜାନୁୟାରୀ ୧୧ ତାରିଖ ଦିନ ସୁହେବଙ୍କ ପତ୍ନୀ ଅଂଜୁ ଇଲିୟାସୀଙ୍କର ହୋଇଥିଲ । ରହସ୍ୟଜନକ ମୃତ୍ୟୁ । ନିଜେ ପତ୍ନୀକୁ ଛୁରି ଭୁସି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇ ପୋଲିସ ଆଖିରେ ଧୁଳି ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ସୁହେବ । ମର୍ଡର ପ୍ଲଟ୍ର ଟିକିନିକି ଜାଣିଥିବା ସୁହେବ ଆଇନ ଆଖିରେ ଆଙ୍ଗୁଠି ଗେଂଜି ବର୍ତ୍ତିଯିବାକୁ ଉଦ୍ୟମ କରିଥିଲା । ଟ୍ରାଏଲ୍ କୋର୍ଟ ମଧ୍ୟ ହତ୍ୟା ମାମଲାକୁ ଖାରଜ କରି ଦେଇଥିଲେ । ମାତ୍ର ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୦୧୪ ମସିହାରେ ପୁଣି ଥରେ ଖୋଲିଥିଲା ଏହି ହତ୍ୟା ମାମଲା । ଏଥର ଆଇନର ତୀକ୍ଷ୍ଣ ନଜରରୁ ସେ ନିଜକୁ ବଂଚାଇ ପାରିନଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ସୁହେବ ଇଲିୟାସୀ କହିଛି, ସେ ନିର୍ଦ୍ଦୋଷ । କୋର୍ଟଙ୍କ ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବ ବୋଲି କହିଛି ସୁହେବ ।