ହାଇଟେକ୍ ମେଡିକାଲ କଲେଜ ଛାତ୍ରୀଙ୍କୁ ରାତି ଅନ୍ଧାରରେ ବଳାତ୍କାର ଅଭିଯୋଗ ! ଗିରଫ ହେଲା କଲେଜର କେୟାରଟେକର

41

କନକ ବ୍ୟୁରୋ : ରାଜଧାନୀରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜର ଛାତ୍ରୀଙ୍କୁ କଳେଜର କେୟାର ଟେକର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କଲେଜ୍ କର୍ତ୍ତୃପକ୍ଷ ଅଭିଯୋଗକୁ ଗ୍ରହଣ କରିଥିବା ବେଳେ ଅଭିଯୁକ୍ତ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଯାହା ପୋଲିସକୁ ଦ୍ୱନ୍ଦ୍ୱରେ ପକାଇଦେଇଛି । ପ୍ରଶ୍ନ ଉଠୁଛି କିଏ କହୁଛି ସତ ?

ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜରେ ଡାକ୍ତରୀ ପଢୁଥିବା ପ୍ରଥମ ବର୍ଷ ଛାତ୍ରୀଙ୍କୁ ବଳାତ୍କାର । ପୁଣି ଅଭିଯୋଗ ଆସିଛି କଳେଜରେ କେୟାର ଟେକର କାମ କରୁଥିବା ମନୋଜ ଖଟୁଆ ନାମକ ଯୁବକଙ୍କ ବିରୋଧରେ । ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ମଙ୍ଗଳବାର ବିଳମ୍ଭିତ ରାତିରେ ହଷ୍ଟେଲ ନିକଟରେ ଥିବା ବେଳେ ମନୋଜ ତାଙ୍କୁ ଜୋର୍ କରି କ୍ୟାମ୍ପସର ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣକ ଏ ନେଇ ସହପାଠୀଙ୍କୁ ଜଣାଇବା ପରେ ମନୋଜକୁ କାବୁ କରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଅଭିଯୁକ୍ତ ମନୋଜଙ୍କ କହିବା କଥା କିଛି ଅଲଗା ।

କଲେଜ କର୍ତ୍ତୃପକ୍ଷ ମଧ୍ୟ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ହାଇଟେକ ମେଡିକାଲ କଲେଜ ଅଧ୍ୟକ୍ଷ କହିଛନ୍ତି ବିଳମ୍ବିତ ରାତିରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ । ଛାତ୍ରୀଙ୍କ ଅଭିଯୋଗ ଓ ଅଭିଯୁକ୍ତଙ୍କ ବୟାନକୁ ନେଇ ଏବେ ଦ୍ୱନ୍ଦରେ କମିଶନରେଟ ପୋଲିସ । ଉଭୟଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରି ତଦନ୍ତ କରିବା ପରେ ଜଣାପଡିବ କିଏ ସତ କହୁଛି ଆଉ କିଏ ମିଛ ?