ଅଭିମାନ କଲେ ସୁଦର୍ଶନ ! ଦ୍ୱିତୀୟ ଦିନରେ ଜାରି ରହିଛି ଧାରଣା ,ସରକାରଙ୍କୁ ଶେଷ ସୁଯୋଗ ଦେଲେ ବାଲୁକାଶିଳ୍ପୀ

71

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ପହଂଚିଛି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଧାରଣା । ପୁରୀର ବାଙ୍କି ମୁହାଣରେ ବଢୁଥିବା ପ୍ରଦ୍ୟୁଷଣକୁ ବିରୋଧ କରି ଗତ କାଲିଠାରୁ ଧାରଣାରେ ଅଛନ୍ତି ଏହି ଝୁରାବାଲିର ସୌଦାଗର । ସୁଦର୍ଶନ ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ନବୀନ୍ ପଟ୍ଟନାୟକଙ୍କୁ ଟୁଇଟ୍ କରି ଅବଗତ ମଧ୍ୟ ରାଇଥିଲେ । ହେଲେ ବିଡମ୍ବନାର କଥା ସରକାର ତରଫରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯେଉଁଥି ପାଇଁ ଖୁବ୍ ମର୍ମାହତ ହୋଇଛନ୍ତି ସୁଦର୍ଶନ ।

ଯଦି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନିଅନ୍ତି ତେବେ ‘ସ୍ୱଚ୍ଛ ଭାରତ ଅଭିଯାନ’ର ବ୍ରାଣ୍ଡ୍ ଅମ୍ବାସାଡାର ପଦରୁ ଓହରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ସୁଦର୍ଶନ । ଏହା ସହ କହିଛନ୍ତି , ‘ଯେଉଁ ବେଳାଭୂମୀରେ ବାଲୁକାକଳା କରି ବିଶ୍ୱରେ ପରିଚୟ ପାଇଛି ସେହି ବେଳାଭୂମୀର ପ୍ରଦ୍ୟୁଷଣ ପାଇଁ ଆଜି ମୁଁ ଲଜ୍ଜିତ ଅନୁଭବ କରୁଛି’ । କାରଣ ପ୍ରତିଦିନ ଏହି ବେଳଭୂମୀକୁ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଯାହାଙ୍କ ପାଇଁ ବିଶ୍ୱ ଦରବାରେ ଚର୍ଚ୍ଚିତ ଏବଂ ଗର୍ବିତ ଓଡିଶା । ତେବେ ପ୍ରଶ୍ନ ଉଠୁଛି ସରକାର ଯଦି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ କଥା ଶୁଣୁ ନାହିଁ ତେବେ ସେହି ସରକାରଙ୍କ ପାଖରେ କିପରି ସାଧାରଣ ଜନତାଙ୍କ ସ୍ୱର ପହଂଚିବ ।

ଏହା ସହ ପଢନ୍ତୁ : ଧାରଣାରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ! ଜାଣନ୍ତୁ କାହିଁକି?