ଆଜି ପବିତ୍ର ବାହୁଡା ଯାତ୍ରା । ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

38

କନକ ବ୍ୟୁରୋ: ଆଜି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।

ସେପଟେ ବଡ଼ଦାଣ୍ଡରୁ ପାଣି ଛାଡ଼ିଯାଇଛି । ଶରଧାବାଲିରେ କିଛି ଜାଗାରେ ପାଣି ଜମିଥିବା ଜାଗାକୁ ବାଲି ପକାଇ ସମାନ କରାଯାଉଛି । ତେବେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ଓ ପୁଣି ପାଣି ଜମିବା ପରି ଅବସ୍ଥା ହୁଏ, ତେବେ ପାଣି ନିସ୍କାସନ ପାଇଁ ୨୨ଟି ପମ୍ପକୁ ରଖାଯାଇଛି ।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ୟ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।