ବିକାଶ ପରିଷଦ ମୁଖ୍ୟାଳୟ ନିଷ୍ପତ୍ତି ନୋହିଲା: ଅଚଳ କରିଦିଆଗଲା ରାଜ୍ୟ ଯୋଜନା ବୋର୍ଡ, ଫାଇଲରେ ରହିଗଲା ବୈଷମ୍ୟ ରିପୋର୍ଟ
କନକ ବ୍ୟୁରୋ: ୧୯୯୯ ଜୁଲାଇ ଅର୍ଥାତ୍ ଆରମ୍ଭରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ନେତା ନିଭାଇଛନ୍ତି। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବି। ସଂଯୋଗବଶତଃ ସୋନପୁର ଜିଲ୍ଲାର ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବେ ଏହି ବିଭାଗର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ପ୍ରାୟ ପଶ୍ଚିମ ଓଡ଼ିଶାର ନେତାଙ୍କୁ ହିଁ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଉଛନ୍ତି। କିନ୍ତୁ ଆଜିର ବାସ୍ତବିକତା ହେଲା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ କେଉଁଠି ହେବ, ତାହା ଏଯାଏ ସ୍ଥିର ହୋଇପାରିଲା ନାହିଁ। ପରିଷଦର ବିକାଶ ପାଇଁ ଟିହ୍ନଟ ହେଉଥିବା ପ୍ରକଳ୍ପ ଓ ଖର୍ଚ୍ଚ ହେଉଥିବା ଅର୍ଥ କେଉଁ ମାପକାଠିରେ ଚିହ୍ନଟ ହେଉଛି, ତାହା ମଧ୍ୟ କାହାକୁ ମାଲୁମ ନାହିଁ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ପଶ୍ଚିମ ଭାଗର ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ ବିକାଶ ପରିଷଦ ଗଠନ ହୋଇଛି। ଏସବୁ ଅବହେଳିତ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦେବା ପାଇଁ କଂଗ୍ରେସ ସରକାର ସେ ସମୟରେ ଏହାର ପରିକଳ୍ପନା କରିଥିଲେ। ସରକାର କିଛି ବର୍ଷ ଏହି ପରିଷଦକୁ ବାର୍ଷିକ ୧୦୦ କୋଟି ଟଙ୍କା ଦେଉଥିଲେ। ୨୦୦୮-୦୯ରୁ ଆଉ ୫୦ କୋଟି ପ୍ରଦାନ କରାଯାଉଛି।
ରାଜ୍ୟ ସରକାରଙ୍କ ତଥ୍ୟକୁ ବିଶ୍ବାସ କରାଗଲେ, ପରିଷଦ ଗଠନ ହେବା ଦିନଠାରୁ ଏଯାଏ ୧୫୫୫ କୋଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ ଲାଗି ବାଟ ଖୋଲିଛି। ପରିଷଦ ୩୪ ହଜାର ୪୫୨ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ହେଲେ ବିଧାନସଭା ସ୍ଥାୟୀ କମିଟି ରିପୋର୍ଟରେ ଯେଉଁ ତଥ୍ୟ ଦିଆଯାଇଛି, ସେଥିରୁ ଜଣାପଡୁଛି ଯେ ୨୮ ହଜାର ୭୯୧ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଲାଣି। ୨୦୧୮-୧୯ ବର୍ଷରେ ଯେଉଁ ୧୫୦ କୋଟି ମିଳିଥିଲା, ସେଥିରୁ ନଭେମ୍ବର ୩୦ ସୁଦ୍ଧା ୧୧୯ କୋଟି ୫୪ଲକ୍ଷ ଖର୍ଚ୍ଚ ହୋଇସାରିଛି।
କୌତୂହଳର କଥା ହେଲା, ପରିଷଦ ଏମିତି ନିଷ୍ପତ୍ତି ନେଉଛନ୍ତି ଯେ ରାଜ୍ୟ ସରକାର ଯେଉଁ ସବୁ ପ୍ରକଳ୍ପରେ ଟଙ୍କା ବର୍ଷା କରୁଛନ୍ତି, ସେ ପ୍ରକଳ୍ପ ପାଇଁ ମଧ୍ୟ ପରିଷଦ ଅର୍ଥ ଦେଉଛି। ପଶ୍ଚିମ ଓଡ଼ିଶା ଯେଉଁ ସବୁ କ୍ଷେତ୍ରରେ ପଛୁଆ, ଅର୍ଥାତ୍ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ବରାଦ କଲେ, ସ୍ଥାନୀୟ ଅଞ୍ଚଳ ମୁଖ୍ୟ ସ୍ରୋତକୁ ଉଠିପାରିବ, ସେଭଳି କାଁ ଭାଁ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ବଲାଙ୍ଗୀର ଜିଲ୍ଲାରେ ଏଯାଏ ୩% ଜମିକୁ ଜଳସେଚନ ହୋଇଥିବା ସ୍ଥାନୀୟ ବିଧାୟକ ଶ୍ରୀ ମିଶ୍ର ଗୃହରେ ବାରମ୍ବାର ଉଠାଉଛନ୍ତି।
ବେଶି ଦୂରକୁ ନ ଯାଇ ୨୦୧୮-୧୯ ବର୍ଷର ହିସାବ ନିକାସକୁ ଦେଖିଲେ, ଜଣାପଡୁଛି, ବିନିଯୋଗ ହୋଇଥିବା ୧୧୯ କୋଟି ଟଙ୍କା ମଧ୍ୟରୁ ମାତ୍ର ୧.୨% ଅର୍ଥ ଏ ବାବଦରେ ଖର୍ଚ୍ଚ ହୋଇଛି। ପିଇବା ପାଇଁ ସରକାର ଅପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ସେ ବାବଦରେ ଏଠାରେ ୧୪.୮୬%, ଶିକ୍ଷା ବାବଦରେ ୦. ୭୧%, ବିଦ୍ୟୁତକରଣରେ ୧.୬୮%, ସ୍ବାସ୍ଥ୍ୟ କ୍ଷେତ୍ରରେ ୪୬.୫୬%, ଅନ୍ୟାନ୍ୟ ପ୍ରକଳ୍ପ କ୍ଷେତ୍ରରେ ୨୭.୩୨% ଓ ରାସ୍ତା ଏବଂ ଯୋଗାଯୋଗ ବାବଦରେ ୩୨ କୋଟି ୬୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏଭଳି ଚାଲିଛି ଯେ କେଉଁ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି, ଏହାଦ୍ବାରା ଯେଉଁ ଭିତ୍ତିଭୂମି ସୃଷ୍ଟି ହେଉଛି, ତାହା ରାଜ୍ୟର ବିକାଶ ଦିଗରେ କେତେ ପ୍ରଭାବ ରଖୁଛି ତାହା ଜଣାପଡୁନି। ଏକଦା ରାଜ୍ୟ ସରକାରଙ୍କ ନିର୍ଦେଶରେ ଆଞ୍ଚଳିକ ବୈଷମ୍ୟ କମିସନ ଗଠନ ହୋଇଥିଲା। ଏହି ରିପୋର୍ଟର ରୂପରେଖ କଣ ତାହା କେହି ଜାଣିପାରିଲେ ନାହିଁ। ସରକାର ନିଜେ ମଧ୍ୟ ରାଜ୍ୟ ପାଇଁ ଦୀର୍ଘମିଆଦୀ ଓ ସ୍ବଳ୍ପ ମିଆଦି ବିକାଶ ଖସଡା ପ୍ରସ୍ତୁତ କରିପାରିନାହାନ୍ତି।
ନିକଟରେ ସରକାର ଘୋଷଣା କରିଥିଲେ ୨୦୩୬ରେ ଓ଼ଡ଼ିଶାକୁ ୧୦୦ ବର୍ଷ ଛୁଇଁବ। ତାହାକୁ ଲକ୍ଷ୍ୟ ରଖି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ। ଯୋଜନା ଓ ସଂଯୋଜନ ବିଭାଗ ଏହାର ନୋଡାଲ ବିଭାଗ ଥିଲା। ବିଭାଗ ୬ମାସ ଏ କାର୍ଯ୍ୟ କଲେ ଓ ତାର କଳେବର ପ୍ରସ୍ତୁତ ହେଲା। ହେଲେ ଆଜି ଦିନ ପର୍ଯ୍ୟନ୍ତ ସରକାର ଲକ୍ଷ୍ୟ ସ୍ଥିର କରିପାରୁନାହାନ୍ତି କି ଏହାକୁ ଅନୁମୋଦନ ମିଳୁନି। ଭିଜନ ଡକ୍ୟୁମେଣ୍ଟର ବର୍ତ୍ତମାନର ସ୍ଥିତି କଣ ସେ କଥା କାହାକୁ ମାଲୁମ ନାହିଁ।
ଗୋଟିଏ ପଟେ ରାଜ୍ୟ ଯୋଜନା ବୋର୍ଡକୁ ପ୍ରଭାବଶୂନ୍ୟ କରିଦିଆଯାଇଛି। ୨୦୦୭ ପରଠାରୁ ବୈଠକ ବସୁନାହିଁ। ଅଥଚ କ୍ୟାବିନେଟ୍, ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁଯୋଗ ଦେଇ ରାଜନୈତିକ ବ୍ୟକ୍ତି ଆଦିଙ୍କ ବାବଦରେ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଛି। ଅନ୍ୟପଟେ ଜିଲ୍ଲାସ୍ତରରେ ଇତିମଧ୍ୟରେ ଦୁଇଟି ସମାନ୍ତରାଳ ସଂସ୍ଥା ଗଠନ କରାଯାଇଛି, ଯାହା ତୃଣମୂଳସ୍ତରରେ ଅନେକ ବିଭ୍ରାଟ ସୃଷ୍ଟି କଲାଣି। ଜିଲ୍ଲାରେ ଏକାଧିକ କ୍ଷମତାକେନ୍ଦ୍ର ମୁଣ୍ଡ ଟେକିଲାଣି।
ଜିଲ୍ଲା ସ୍ତରରୁ ଯୋଜନା ପାଇଁ ଗୋଟିଏ ସ୍ବତନ୍ତ୍ର କମିଟି ଗଠନ ହୋଇଛି। ତାର ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଅଧିକାଂଶ ବିଧାୟକଙ୍କୁ ଥଇଥାନ କରାଯାଇଛି। କିଛି ଜିଲ୍ଲାରେ ମନ୍ତ୍ରୀ ଅଛନ୍ତି। ପରେ ପୁଣି ରାଜ୍ୟ ସରକାର ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କ ତୁଷ୍ଟୀକରଣ ଲାଗି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ୯ଟି ଜିଲ୍ଲା ଅର୍ଥାତ୍ ମୟୂରଭଂଜ, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, କନ୍ଧମାଳ, ଗଜପତି ଆଦି ଜିଲ୍ଲାର ୧୧୭ ବ୍ଲକକୁ ନେଇ ଏହାର ପରିକଳ୍ପନା କରାଯାଇଛି। ୨୦୧୮ ମାର୍ଚ ୯ ତାରିଖରେ ଏହାର ଜନ୍ମ ହୋଇଥିଲା। ୧୭୫ କୋଟି ୫୦ଲକ୍ଷ ଟଙ୍କା ବାର୍ଷିକ ଏମାନଙ୍କୁ ଦିଆଯାଇଛି, ପ୍ରତି ବ୍ଲକକୁ ଦେଢ କୋଟି। କିନ୍ତୁ କଣ ଖର୍ଚ୍ଚ ହୋଇଛି, ଏହି ବର୍ଗର ଲୋକଙ୍କର କି କି ବିକାଶ ହେଲାଣି, ସେ ତଥ୍ୟ କାହା ପାଖରେ ନାହିଁ।