ଦୁଷ୍କର୍ମକାରୀକୁ ୩ ଥର ଆଜୀବନ କାରାଦଣ୍ଡ : ଅତିରିକ୍ତ ୨୬ ବର୍ଷ ଜେଲ୍‌

169

କନକ ବ୍ୟୁରୋ : ଦକ୍ଷିଣ କେରଳର କୋଲ୍ଲମ୍‌ ଜିଲ୍ଲାରେ ଜଣେ ୭ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ମାମଲାରେ  ଏକ ପୋକ୍‌ସୋ ଅଦାଲତ ଦୁଷ୍କର୍ମକାରୀକୁ ୩ ଥର ଆଜୀବନ କାରାଦଣ୍ଡ ଦେଇଛନ୍ତି । ଏହାବାଦ୍‌ ତାକୁ ଅତିରିକ୍ତ ୨୬ ବର୍ଷ କାରାଦଣ୍ଡାଦେଶ ମଧ୍ୟ ହୋଇଛି । ୨୭ ବର୍ଷୀୟ ରାଜେଶ ଯେଉଁ ଜଘନ୍ୟ ଅପରାଧ କରିଛି ସେଥିପାଇଁ ତାକୁ ମୃତ୍ୟୁଦଣ୍ଡ ହେବା ଉଚିତ୍‌ ଥିଲା, କିନ୍ତୁ ରାଜେଶର ବୟସକୁ ବିଚାରକୁ ନେଇ କୋର୍ଟ ତାକୁ ୩ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୩ଟି ଯାକ କାରାଦଣ୍ଡ ତାକୁ ପୃଥକ୍‌ ଭାବେ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ଦୁଷ୍କର୍ମ, ହତ୍ୟା, ଅପହରଣ, ଅସ୍ବାଭାବିକ ଯୌନ ସମ୍ପର୍କ, ମୃତ ଶରୀରକୁ ଅସମ୍ମାନ ଏବଂ ପ୍ରମାଣ ନଷ୍ଟ କରିବା ମାମଲାରେ ତା ବିରୋଧରେ ଏହି ଦଣ୍ଡାଦେଶ ହୋଇଛି ।

୨୦୧୭ ସେପ୍ଟେମ୍ବରରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ରାଜେଶ ହେଉଛି ପୀଡ଼ିତାର ସମ୍ପର୍କୀୟ । ପୀଡ଼ିତାର ଜେ‌ଜେ ମା’ ତାକୁ ସ୍କୁଲ୍‌ ନେଇ ଯାଉଥିବା ସମୟରେ ରାଜେଶ ସେମାନଙ୍କୁ ଅଟକାଇଥିଲା ଏବଂ ପୀଡ଼ିତାକୁ ସ୍କୁଲ୍‌ରେ ନେଇ ଛାଡ଼ିଦେବ ବୋଲି କହିଥିଲା । ରାଜେଶର କଥାକୁ ବିଶ୍ବାସକୁ ନେଇ ପୀଡ଼ିତାର ଜେଜେ ମା’ ତାକୁ ତା’ ସାଥୀରେ ସ୍କୁଲ୍‌ ପଠାଇଥିଲେ । କିନ୍ତୁ ରାଜେଶ ଶିଶୁକୁ ସ୍କୁଲ୍‌ ନେବା ପରିବର୍ତ୍ତେ ଏକ ନିଛା‌ଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ପରେ ତା’ ତଣ୍ଟି ଚିପି ତାକୁ ମାରିଦେଇଥିଲା ।

ଘଟଣାର ୨ ଦିନ ପରେ ପୀଡ଼ିତାର ମୃତ ଶରୀର ଉଦ୍ଧାର ହୋଇଥିଲା । ପୀଡ଼ିତାର ଘରଲୋକ ତାକୁ ଖୋଜି ନପାଇବାପରେ ପୁଲିସରେ ଖବର ଦେଇଥିଲେ । ରାଜେଶ ମଧ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ କରି କହିଥିଲା ଯେ ପୀଡ଼ିତା ଏହିଠାରୁ ହିଁ ନିଖୋଜ ହୋଇଛି । ପ‌ରେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ସତ ଜଣାପଡ଼ିବା ପରେ ରା‌ଜେଶ ଦୋଷ ସ୍ବୀକାର କରିଥିଲା ।