କନକ ବ୍ୟୁରୋ : ରାଜଧାନୀ ରାସ୍ତାରେ ଗୋରୁଙ୍କ ଉତ୍ପାତ ଦିନକୁ ଦିନ ବଢ଼ୁଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ବିଏମ୍ସି ପକ୍ଷରୁ କିଛି ମାସ ତଳେ ଆରମ୍ଭ ହୋଇଥିଲା ନୋଳିକରଣ ଯୋଜନା । ଏଥିରେ ବୁଲା ଗୋରୁଙ୍କ କାନରେ ଏକ ଟ୍ୟାଗ୍ ଲଗା ଯାଇଥିଲା । ସେଥିରେ ଏକ ଚିପ୍ସରେ ଗାଈ/ମଇଁଷିର ମାଲିକଙ୍କ ସବିଶେଷ ତଥ୍ୟ ଏବଂ ମୋବାଇଲ ନମ୍ବର ରହୁଥିଲା । ଲକ୍ଷ୍ୟ ଥିଲା, ରାଜଧାନୀରେ ବୁଲୁଥିବା ପ୍ରାୟ ୨ହଜାର ଗାଈ, ମଇଁଷିଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ସହ ରାସ୍ତାରେ ଗୋରୁ ବୁଲିଲେ ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ।
ଅକ୍ଟୋବର ୩୦ରେ ଆରମ୍ଭ ହୋଇଥିବା ଏହି ଯୋଜନା ଆରମ୍ଭରୁ ଗୋପାଳନ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କଲା । କାରଣ ଗାଈ/ମଇଁଷି ରାସ୍ତାରେ ବୁଲିଲେ ବିଏମ୍ସି କର୍ମଚାରୀମାନେ ତାଙ୍କୁ ଧରିନେଇ କାଞ୍ଜିଆହୁଦାରେ ରଖିବା ସହ ସେମାନଙ୍କ ମାଲିକଙ୍କଠାରୁ ଦିନକୁ ହଜାରେ ଟଙ୍କା ହିସାବରେ ଜରିମାନା ଆଦାୟ କଲେ । ଯେଉଁ ଗୋରୁ କାନରେ ନୋଳି ଲାଗି ନଥିଲା, ସେମାନଙ୍କଠାରୁ ଅତିରିକ୍ତ ୫୦୦ଟଙ୍କା ଆଦାୟ ହେଲା । ହେଲେ କିଛି ମାସ ପରେ ଏହି ଯୋଜନା ଦିଗହରା ହୋଇଗଲା ।
ପୂର୍ବରୁ ଯେମିତି ଗୋରୁ ବୁଲୁଥିଲେ, ଏବେ ବି ସେମିତି ଗୋରୁ ରାସ୍ତାରେ ବୁଲୁଛନ୍ତି । ଲୋକ ଯେମିତି ଦୁର୍ଘଟଣାର ଶିକାର ହେଉଥିଲେ, ଏବେ ବି ହେଉଛନ୍ତି । ଦିନ ଯେତିକି ବଢ଼ୁଛି, ରାସ୍ତାରେ ଗୋରୁଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ୁଛି । କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ କେବଳ ମୁଖ୍ୟମନ୍ତ୍ରୀ ଯାତାୟାତ କରୁଥିବା ରାସ୍ତାରୁ ଗୋରୁଙ୍କୁ ହଟାଇ ଚୁପ୍ ବସି ଯାଉଛନ୍ତି । ବାକି ଅଞ୍ଚଳରେ ଲୋକ ବୁଲାଗୋରୁଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକୁଥିଲେ ବି ଦେଖାଯାଉନି । ବିଏମ୍ସିର ବହୁ ଯୋଜନା ପରି ଏହି ଯୋଜନାଟି ସତେ ଯେମିତି ଫେଲ୍ ମାରି ଯାଇଛି ।
ନଭେମ୍ବରରେ ଆୟୋଜିତ ହକି ବିଶ୍ବକପ୍ ପୂର୍ବରୁ ବିଏମ୍ସି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ମିଳିତ ଭାବେ ନୋଳିକରଣ ଯୋଜନା ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଏହା ପ୍ରଥମ ତଥା ଅଭିନବ ପଦକ୍ଷେପ ହୋଇଥିବାରୁ ବିଭିନ୍ନ ମହଲରୁ ବିଏମ୍ସି ବେଶ୍ ପ୍ରଶଂସା ସାଉଁଟିଲା । ସହରରେ ସବୁ ସମୟରେ ବହୁ ରାସ୍ତା ଗୋରୁଙ୍କ କବ୍ଜାରେ ରହିଥିବାରୁ ଏହି ପଦକ୍ଷେପ କିଛି ମାତ୍ରାରେ ସମସ୍ୟା ସମାଧାନ ଦିଗରେ ସହାୟ ହେବ ବୋଲି ସହରବାସୀ ଆଶାପ୍ରକଟ କରିଥିଲେ।
କିନ୍ତୁ ବିଏମ୍ସିର ଅନ୍ୟ ସବୁ କାମ ପରି ଏହି କାମ ବି ଉପରଠାଉରିଆ ବୋଲି ପରେ ଜଣାପଡ଼ିଲା । କେବଳ ହକି ବିଶ୍ବକପ୍ ପାଇଁ ତତ୍ପରତା ଦେଖାଇ ଗାଈଙ୍କ କାନରେ ନୋଳି ଲଗାଯାଇଥିଲା । କିନ୍ତୁ ତାହା ପରେ ଏହି କାର୍ଯ୍ୟ ସେତିକିରେ ଅଟକିଯାଇଛି । ଏଥିରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ସହରବାସୀ ମଧ୍ୟ ବିଏମ୍ସିର ଏହି କାର୍ଯ୍ୟକୁ ଅନୁଭବ କରିପାରୁ ନାହାନ୍ତି ।
କିନ୍ତୁ ଏବେ ରାଜଧାନୀର ଗଳିକନ୍ଦିଠାରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ସବୁଠାରେ ପଲ ପଲ ଗାଈଙ୍କ ରାଜୁତି ଦେଖିବାକୁ ମିଳୁଛି । ରାସ୍ତାରେ ବୁଲୁଥିବା ଅଧିକାଂଶ ଗାଈଙ୍କ କାନରେ ନୋଳି ଦେଖିବାକୁ ମିଳୁନାହିଁ । ମାଲିକମାନେ ବେଧଡ଼କ ଭାବେ ନିଜ ଗାଈକୁ ରାସ୍ତାକୁ ଛାଡ଼ି ଦେଉଛନ୍ତି । ବିଏମ୍ସିର ମିଛ ଧମକକୁ ସେମାନେ ଖାତିର୍ କରୁନାହାନ୍ତି । ଆଉ ବିଏମ୍ସି ବି ନୋଳି ଲଗାଇବା କାର୍ଯ୍ୟକୁ ଆପାତତଃ ଭୁଲିଗଲାଣି । କେତେ ଗାଈଙ୍କୁ ନୋଳି ଲଗାଯାଇଛି ଓ ମାଲିକମାନଙ୍କୁ କେବେ ସୁଦ୍ଧା ସମୟସୀମା ଦିଆଯାଇଛି, ତାହାର ଉତ୍ତର କାହା ପାଖରେ ନାହିଁ ।