ବୀର ପୁଅକୁ ଶେଷ ସମ୍ମାନ ଜଣାଇଲା ସହିଦ ମାଟି : ସହିଦ ପ୍ରଦୀପ ପଣ୍ଡାଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ

37

କନକ ବ୍ୟୁରୋ : ଲୁହରେ ଭିଜୁଥିଲା ଲିପିଲୋଇ, ହେଲେ ଗର୍ବ କରୁଥିଲା ଗାଁ ମାଟି । ସମସ୍ତଙ୍କ ଆଖିରେ ଲୁହ ଥିଲା ଆଉ ଗର୍ବରେ ଛାତି ଫୁଲିଉଠୁଥିଲା । ଦେଶପାଇଁ ଜୀବନ ଦେଇ ଅମର ପାଲଟିଯାଇଥିଲେ ଗାଁର ପୁଅ ପ୍ରଦୀପ ପଣ୍ଡା । ସୀମାରେ ସହିଦ ପ୍ରଦୀପଙ୍କୁ ଅନ୍ତିମ ବିଦାୟ ଦେବାକୁ ଛୁଟିଥିଲା ଅଜସ୍ର ଭିଡ । ଶେଷ ଦର୍ଶନ ପାଇଁ ଷ୍ଟାଡିଅମରେ ଜନସମୁଦ୍ର । ପିଲାଠୁ ବୁଢା ସମସ୍ତଙ୍କ ମୁହଁରେ ଥିଲା ଅମର ରହେ ପ୍ରଦୀପ ପଣ୍ଡା ।

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନଙ୍କ ମରଶରୀର ବାହାରିଥିଲା ଜନ୍ମମାଟି ଅଭିମୁଖେ । ପ୍ରଦୀପଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ଲିପିଲୋଇକୁ ନିଆଯାଇଥିଲା । ହଜାର ହଜାର ଲୋକ ସାମିଲ ହୋଇଥିଲେ ପ୍ରଦୀପଙ୍କ ଶୋଭାଯାତ୍ରାରେ । ଗାଁର ପ୍ରତି ସାହି-ଗଳିରେ ଲୋକେ ଅପେକ୍ଷା କରିଥିଲେ ସହିଦ ପୁଅକୁ ।

ଅଜଣା ଅଚିହ୍ନା ପ୍ରଦୀପ, ଆଜି ସମସ୍ତଙ୍କ ପାଇଁ ପିରିଚିତ ଥିଲେ । ସମସ୍ତେ ତାଂକୁ ଚିହ୍ନିଥିଲେ । ହେଲେ ଲିପିଲୋଇର ସହିଦ ଯବାନ, ଯେପରି ନେତାଙ୍କ ପାଇଁ ଅଜଣା ଥିଲେ । ବିଧାୟକ ଦିଲ୍ଲୀପ ରାୟଙ୍କୁ ଛାଡିଦେଲେ ଆଉ ଜଣେ ହେଲେ ନେତା ଓ ମନ୍ତ୍ରୀଙ୍କ ଦେଖାମିଳିନଥିଲା । ଗାଁ ମାଟିରେ ବୀର ପୁଅର ମରଶରୀର ଦେଖି ଅଧିର ହୋଇପଡିଥିଲା ମା । ପରିବାର ଶେଷ ଦର୍ଶନ କରିବା ପରେ ଶେଷକୃତ୍ୟ ପାଇଁ ମରଶରୀର ନିଆଯାଇଥିଲା ଗାଁ ଶ୍ମଶାନକୁ । ଆଉ ସେଠାରେ ଜଳିଛି ସହିଦ ଯବାନ ପ୍ରଦୀପ ପଣ୍ଡାଙ୍କ ଜୁଇ ।