ଆପଣଙ୍କ ମୋବାଇଲରୁ ତଥ୍ୟ ଚୋରି କରିବାକୁ ଚାଇନାର ଯୋଜନା । ଏସବୁ ଆପକୁ କରନ୍ତୁ ଡିଲିଟ । ସେନାକୁ ବି କରାଗଲା ସତର୍କ

44

ଚୀନର ମୋବାଇଲ୍ ଆପଗୁଡ଼ିକ ଏବେ ଭାରତର ସୁରକ୍ଷା ସ୍ଥିତି ପାଇଁ ବିପଦର କାରଣ ହୋଇଛି । ଚୀନ୍ ୪୨ଟି ମୋବାଇଲ୍ ଆପ୍ ମାଧ୍ୟମରେ ଗୁଇନ୍ଦାଗିରି ଚଳାଇଥିବାରୁ ଭାରତୀୟ ସେନାର ଅଧିକାରୀ ଏବଂ ଯବାନ ଏହି ଆପ୍ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ମୋବାଇଲରୁ ଚୀନ୍ ଆପଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ସେନାକୁ କୁହାଯାଇଛି ।

ଏହି ଆପଗୁଡ଼ିକ ମାଧ୍ୟମରେ ଚୀନ୍ ଭାରତୀୟ ସେନାର ଅବସ୍ଥିତି, ଯବାନଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ସଂଗ୍ରହ କରୁଛି । ସେନାର ସମସ୍ତ ଅଧିକାରୀଙ୍କୁ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରରୁ ବିପଜ୍ଜନକ ଚୀନା ଆପ୍ ତୁରନ୍ତ ହଟାଇ ଏ ବାବଦରେ ସୁରକ୍ଷିତ ରହିବାକୁ କୁହାଯାଇଛି । ବିଶେଷ କରି ଚୀନ୍ ସୀମାରେ ନିୟୋଜିତ ଥିବା ଭାରତୀୟ ଯବାନଙ୍କୁ ଏହି ନିର୍ଦ୍ଦେଶ ତତ୍କାଳ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ୟୁସି ବ୍ରାଉଜର୍, ୟୁସି ନ୍ୟୁଜ୍ ଏବଂ ଟ୍ରୁ କଲର୍ ଭଳି ଆପକୁ ହଟାଇ ଦେବାକୁ କୁହାଯାଇଛି । ଏହି ଆପଗୁଡ଼ିକୁ ହଟାଇବା ସହ ଫୋନକୁ ଫର୍ମାଟ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଆପ୍ ମାଧ୍ୟମରେ ଚୀନ୍ ଭାରତୀୟ ଯବାନଙ୍କ ସଂପର୍କରେ ତଥ୍ୟ ପାଉଥିବା ନେଇ ସନ୍ଦେହ ବଳବତ୍ତର ହେବାପରେ ଗୁଗଲ ମଧ୍ୟ ତା’ର ପ୍ଲେ ଷ୍ଟୋରରୁ ୟୁସି ବ୍ରାଉଜରକୁ ହଟାଇ ଦେଇଥିଲା । ତେବେ ପୁଣି ଥରେ ଏହା ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା ଜଣାପଡ଼ିଛି । ୟୁସି ବ୍ରାଉଜରରେ ଡେଟା ସୁରକ୍ଷା ଉଲ୍ଲଂଘନ ହେଉଥିବା ପ୍ରମାଣ ମିଳିଥିବାରୁ ଏ ଦିଗରେ ବ୍ୟବହାରକାରୀମାନେ ସତର୍କ ରହିବାକୁ କୁହାଯାଇଛି ।