ଆସନ୍ତା ୪ ତାରିଖରୁ ରାଜ୍ୟରେ ବଢ଼ିବ ପାରଦ ! ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

23

କନକ ବ୍ୟୁରୋ : ଆଜିଠାରୁ ଉପକୂଳବର୍ତ୍ତୀ ସ୍ଥାନଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ଆଉ ବଢ଼ିବ ନାହିଁ । ଏଭଳି ତାପମାନ ବଜାୟ ରହିବ ୨/୩ ତାରିଖ ଯାଏଁ । ୪ ତାରିଖରୁ ସାରା ରାଜ୍ୟରେ ବଢ଼ିବ ପାରଦ । ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଏ ନେଇ ମିଳିଥିବା ସୂଚନା ମୁତାବକ ଆସନ୍ତା ୩ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ ପଡ଼ିବ ଓଡ଼ିଶା ଉପରେ। ଅନ୍ୟ ଗୋଟିଏ ଲଘୁଚାପ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆରବ ମହାସାଗର ଦିଗକୁ ମୁହାଁଇବ । ଏହି ୨ଟି ବ୍ୟବସ୍ଥା ଯୋଗୁଁ ପବନ ବହିବା ଆରମ୍ଭ ହୋଇଛି । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ୁଥିବା କୁହାଯାଇଛି । ଫଳରେ ତାପମାନ ବଢ଼ିବାର ସମ୍ଭାବନା ରହିଛି । ତେବେ ୩/୪ ତାରିଖ ବେଳକୁ ସାରା ଓଡ଼ିଶାରେ ତାପମାତ୍ରା ବଢ଼ିପାରେ । ୧୦ ତାରିଖ ପର୍ଯ୍ୟନ୍ତ ତାପମାନ ଅଧିକ ରହିବାର ପୂର୍ବାନୁମାନ କରାଯାଇଛି ।

ଗତକାଲି ଭଳି ଆଜି ଫୁଲବାଣୀ(୭.୫°), ଦାରିଙ୍ଗିବାଡ଼ି (୯°), ହୀରାକୁଦ(୯.୬°)ରେ ସର୍ବନିମ୍ନ ତାପମାତ୍ରା ୧୦° ତଳେ ରହିଛି। ସେହିପରି କେନ୍ଦୁଝରରେ ୧୦° ଥିବା ବେଳେ ଭବାନୀପାଟଣାରେ ୧୧°, ସୁନ୍ଦରଗଡ଼ ୧୧.୫°, ଝାରସୁଗୁଡ଼ା ୧୧.୮°, ଅନୁଗୁଳ ୧୨°, ସମ୍ବଲପୁରରେ ୧୨.୪°, ସୋନପୁର, ବାରିପଦାରେ ୧୨.୬°, ବଲାଙ୍ଗୀରରେ ୧୩.୩°, ବାଲେଶ୍ୱର, କଟକ, କୋରାପୁଟରେ ୧୪.୫°, ଭୁବନେଶ୍ୱରରେ ୧୫° ରେକର୍ଡ ହୋଇଛି।