ଆସନ୍ତା ୧୦ତାରିଖ ସୁଦ୍ଧା ଆରମ୍ଭ ହେବ ଦେଶର ସମସ୍ତ ସ୍ମାର୍ଟ ସିଟିର ରେଟିଂ ପ୍ରକ୍ରିୟା ।

394

କନକ ବ୍ୟୁରୋ : ଆସନ୍ତା ୧୦ତାରିଖ ସୁଦ୍ଧା ଦେଶର ସମସ୍ତ ସ୍ମାର୍ଟ ସିଟିର ରେଟିଂ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କେଉଁ ସ୍ମାର୍ଟ ସିଟି କେତେ ଆଗେଇଛନ୍ତି, କେତୋଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ଓ କେତୋଟି ଶେଷ କରିଛନ୍ତି ତା’ର ସମୀକ୍ଷା ହେବ । ଏପରିକି ଯେଉଁ ସ୍ମାର୍ଟ ସିଟିରେ ସ୍ଥାୟୀ ସିଇଓ ନଥିବେ, ଆବଶ୍ୟକୀୟ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସ ନଥିବେ ସେଗୁଡ଼ିକର ରେଟିଂ କମିବ ବୋଲି ସ୍ମାର୍ଟ ସିଟି ମିସନ ପକ୍ଷରୁ ସୂଚନା ମିଳିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ଵିତ କରିବା ପାଇଁ ଏସ୍‌ପିଭିକୁ ପୂର୍ଣ୍ଣ କ୍ଷମତା ଦେବା ସହ ନିଯୁକ୍ତି ପ୍ରକ୍ରିୟା ଜୋରଦାର୍‌ କରିଛନ୍ତି ।

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଭାବେ ମନୀଷା ବାନାର୍ଜୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି । ସେ ସିଇଓ ଭାବେ କାର୍ଯ୍ୟ କରୁଥିଲେ ହେଁ ଅତିରିକ୍ତ ଦାୟିତ୍ୱରେ ଥିଲେ। ତାଙ୍କର ମୂଳ ପଦବି ରାଉରକେଲା ଏଡିଏମ୍‌ ଥିଲା । ଏହାସହ ସେ ରାଉରକେଲା ମହାନଗର ନିଗମର କମିସନର ଭାବେ ବି କାର୍ଯ୍ୟ କରୁଛନ୍ତି । ଆଜିର ନିଯୁକ୍ତି ପରେ ରାଉରକେଲା ଏଡିଏମ୍‌ ଏବଂ କମିସନର ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅପରପକ୍ଷେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପାଇଁ ରାଜ୍ୟ ସରକାର ଯେପରି ତତ୍ପରତା ଦେଖାଉଛନ୍ତି ରାଉରକେଲା କ୍ଷେତ୍ରରେ ସେହିପରି ଦେଖାଉ ନ ଥିବା ଅଭିଯୋଗ ହେଉଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡରେ ବହୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ରାଉରକେଲା ପାଇଁ ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କ ଉପରେ ପୂରା ଦାୟିତ୍ୱ ଛାଡ଼ି ଦିଆଯାଇଛି । ଏପରିକି ଅନ୍ୟାନ୍ୟ ପଦବି, ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ବହୁ ପଦବି ଖାଲି ଥିବାବେଳେ ଏହାକୁ ପୂରଣ କରାଯାଉନି। ଯେଉଁଥିପାଇଁ ଏବେ ସ୍ମାର୍ଟ ସିଟି ରାଉରକେଲା ପୂରା ପଛେଇ ଯାଇଛି ।

ଅପରପକ୍ଷେ ରାଜ୍ୟର ଦୁଇଟି ଯାକ ସ୍ମାର୍ଟ ସିଟିର କାର୍ଯ୍ୟ ଆଶାନୁରୂପ ଆଗେଇ ନଥିବାବେଳେ ଏହାକୁ ତ୍ୱରାନ୍ଵିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ଯାକ ସ୍ମାର୍ଟ ସିଟିର ସ୍ପେସାଲ ପରପୋଜ୍‌ ଭେଇକିଲ୍‌ (ଏସ୍‌ପିଭି)କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଏଣିକି ସବୁ ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ଏସ୍‌ପିଭି କରିପାରିବ । ଆଉ ମୁଖ୍ୟମନ୍ତ୍ରୀ କି କ୍ୟାବିନେଟ୍‌ ଅନୁମତି ପାଇଁ ପଠାଇବାକୁ ପଡ଼ିବନି। ପୂର୍ବରୁ ୧୦୦କୋଟିରୁ ଅଧିକ ବଜେଟ୍‌ର ପ୍ରକଳ୍ପଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମଞ୍ଜୁରୀ ନେବାକୁ ପଡ଼ୁଥିବାବେଳେ ଏବେ ଏହାକୁ ବାଦ୍‌ ଦିଆଯାଇଛି । ସବୁ ପ୍ରକଳ୍ପକୁ ଏସ୍‌ପିଭି ଅନୁମତି ଦେବା ପରେ ଏହାକୁ କେବଳ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସମସ୍ତ ଟେଣ୍ଡର ଆହ୍ଵାନ, ଅନୁମୋଦନ ଏସ୍‌ପିଭି କରିପାରିବ । ପିପିପି ପ୍ରକଳ୍ପଗୁଡ଼ିକ ଇସିଆଇ କମିଟି ଆଗରେ ଉପସ୍ଥାପନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ବିଜ୍ଞପ୍ତି ଜାରି କରିଛନ୍ତି ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ବୋର୍ଡ ଅଫ୍‌ ଡାଇରେକ୍ଟରର୍ସରେ ତିନି ଜିଣ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ମିସନ୍‌ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କୁ ସାମିଲ୍‌ କରାଯାଇଛି । ଏହାବାଦ୍‌ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।