୧୩ ଅକ୍ଟୋବରର ରହସ୍ୟ ! ଜୀବିତ ରହିବା ପାଇଁ ନିଜ ସାଥୀଙ୍କ ମାଂସ କରିଥିଲେ ଭକ୍ଷଣ

36

୧୯୭୨ରେ ଏକ ଏଭଳି ଦୁର୍ଘଟଣା ଘଟିଥିଲା ଯାହା ଆଣ୍ଡେଜ୍ ଫ୍ଲାଇଟ୍ ଡିଜାଷ୍ଟର ନାଁରେ ଚର୍ଚ୍ଚିତ । ତେବେ ଏହି ଦୁର୍ଘଟଣା ୧୩ ଅକ୍ଟୋବର, ୧୯୭୨ରେ ହୋଇଥିଲା । ଏବଂ ଏହାର ଶିକାର ହୋଇଥିଲେ ଉରୁଗୁୱେର ଓଲ୍ଡ ଖ୍ରୀଷ୍ଟିୟନ୍ସ ରଗବିର ଏକ ଦଳ । ଘଟଣାଟି ହେଲା ଏହି ଦଳଟି ଉରୁଗୁୱେର ଏୟାର ଫୋର୍ସ ଫ୍ଲାଇଟ୍-୫୭୧ ଜରିଆରେ ମଂଟେବିଡିଓର କାରାକାସ୍କୋ ଅନ୍ତର୍ଜାତିୟ ବିମାନ ବନ୍ଦରରୁ ବାହାରି ଚିଲିର ସାଂଟିୟାଗୋ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏହି ପ୍ଲେନଟିରେ ପାଖିପାଖି ୪୫ ଜଣ ଯାତ୍ରୀ ଥିଲେ । ସେମାନେ ସମସ୍ତେ ଥିଲେ ଖେଳାଳି ଓ ତାଙ୍କ ପରିବାର ଏବଂ କିଛି ଅଧିକାରୀ ।

ଠିକ୍ ଏହି ସମୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା । ଯାହା ଫଳରେ ଆଣ୍ଡେଜର ବରଫାବୃତ ପାହାଡରେ ପାଇଲଟଙ୍କୁ କିଛି ଦେଖାଯାଇ ନଥିଲା । ପାଣିପାଗରେ ଆସିଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପାଇଲଟଙ୍କୁ ସମ୍ଭାବ୍ୟ ବିପଦ ନଜର ଆସି ଯାଇଥିଲା । ଯେଉଁଥିପାଇ ସେ ପ୍ଲେନଟିକୁ ଅବତରଣ କରିବାକୁ ବାରମ୍ବାର ପ୍ରୟାସ କରିଥିଲେ ମାତ୍ର ଅସଫଳ ହୋଇଥିଲେ । କାରଣ ପାଖାପାଖି ୧୪ ହଜାର ଫିଟ୍ ଉଚ୍ଚରେ ଉଡୁଥିବା ପ୍ଲେନଟିକୁ ନିୟନ୍ତ୍ରଣ କରିବା ଥିଲା ତାଙ୍କ ସୀମା ବାହାରେ ଏବଂ କିଛି କ୍ଷଣ ମଧ୍ୟରେ ପ୍ଲେନଟି ଆଣ୍ଡେଜ ପର୍ବତ ଶୃଖଂଳାର ସେରୋସେଲେର ପାହାଡରେ ପିଟି ହୋଇ ଜଳିବାକୁ ଲାଗିଥିଲା ।

ତେବେ ଏହି ଭୟାନକ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୮ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ବାକି ୨୭ଜଣ ବଂଚିଯାଇଥିଲେ ସତ କିନ୍ତୁ ବରଫାବୃତ କାରଣରୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡିଥିଲା । ସେପଟେ ପ୍ଲେନ ଦୁର୍ଘଟଣାଗ୍ରସ୍ତ ଖବର ପାଇଁ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା କିନ୍ତୁ ପ୍ଲେନର ରଙ୍ଗ ଧଳା ହୋଇଥିବା କାରଣରୁ ତାକୁ ଠାବ କରିବା କଷ୍ଟକର ହୋଇପଡିଥିଲା ।

ଲଗାତର ୧୦ ଦିନ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ମାତ୍ର କୌଣସି ସୁରାଗ୍ ନ ମିଳିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ମୃତ ଘୋଷଣା କରିଦିଆଯାଇଥିଲା । ସେପଟେ କିନ୍ତୁ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ବାକି ୨୭ ଜଣଙ୍କ ମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା । ବାକି ଜୀବିତ ରହିଯାଇଥିବା ଯାତ୍ରୀମାନେ ନିଜ ପାଖରେ ଥିବା ଖାଦ୍ୟ କାରଣରୁ କିଛି ଦିନ ପାଇଁ ନିଜର ଭୋକ ମେଂଟାଇ ଦେଇଥିଲେ ମାତ୍ର ଯେତେବେଳେ ସମସ୍ତ ଖାଦ୍ୟ ଶେଷ ହୋଇଯାଇଥିଲା ସେତେବେଳେ ତାଙ୍କ ପାଖରେ ଖାଇବା ପାଇଁ କୌଣସି ସାମଗ୍ରୀ ନଥିଲା । ଏବଂ ଶେଷରେ ବାଧ୍ୟ ହୋଇ ସେମାନେ ମରିଯାଇଥିବା ସାଥୀଙ୍କ ମାଂସକୁ ଖଣ୍ଡ ଖଣ୍ଡ କରି ଖାଇବାକୁ ଆରମ୍ଭ କରିଥିଲେ ।

ତେବେ ଦୁର୍ଘଟଣାର ୬୦ ଦିନ ବିତିଯାଇଥିଲେ ମଧ୍ୟ ସାହାର୍ଯ୍ୟର କୌଣସି ଆଶା ଦେଖା ଦେଇ ନଥିଲା ଆଉ ଏହି ସମୟରେ ଏମାନଙ୍କ ମଧ୍ୟରୁ ନାଣ୍ଡୋ ପାରାଡୋ ଏବଂ ରୋର୍ବଟୋ କାନେସା ନାମକ ଦୁଇଜଣ ଯାତ୍ରୀ ସାହସ ଜୁଟାଇ ସେଠୁ ବଂଚିବା ପାଇଁ ରାସ୍ତା ଖୋଜି ଥିଲେ ଏବଂ ଶେଷରେ ସଫଳ ମଧ୍ୟ ହୋଇଥିଲେ । ଯାହା ଫଳରେ ସେମାନଙ୍କ ସହ ୧୪ଜଣ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା ।