ଭିଜିବ ଓଡିଶା ! କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

32

କନକ ବ୍ୟୁରୋ : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନର ଦୁଇଦିନ ପୂର୍ବରୁ କେରଳରେ ମୌସୁମୀ ପ୍ରବେଶ କରିଛି । ସାମୁଦ୍ରିକ ଘୂର୍ଣ୍ଣିଝଡ ମୋରା, ମୌସୁମୀକୁ ସକ୍ରିୟ କରିବାରେ ସହାୟକ ହୋଇଛି । ଆଜି ମଣିପୁର, ନାଗାଲାଣ୍ଡ, ମିଜୋରାମରେ ମଧ୍ୟ ମୌସୁମୀ ପ୍ରବେଶ କରିଛି । ଫଳରେ ଏସବୁ ଅଂଚଳରେ ବର୍ଷା ଲାଗିରହିଛି । ଜୁନ୍ ୧୦ ସୁଦ୍ଧା ମୌସୁମୀ ଓଡିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ଏହା ପୂର୍ବରୁ ଜୁନ୍ ପ୍ରଥମ ସପ୍ତାହରେ ଓଡିଶାରେ ପାକ୍ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ଘୁର୍ଣ୍ଣିଝଡ ମୋରା ବାଂଲାଦେଶ ଉପକୂଳରେ ମାଡ ହୋଇଥିବାରୁ ଏହା ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ମୋରା ପ୍ରଭାବରେ ଭାରତର ପୂର୍ବୋତ୍ତର ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ୨ଦିନ ଧରି ଆସାମ ଓ ମେଘାଳୟରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।