ତିତଲି ଗଲା ବନ୍ୟା ଆସିଲା । ବନ୍ୟା ଜଳରେ ବୁଡି ରହିଥିବା ଅଞ୍ଚଳର କିଛି ଚିତ୍ର, କେଉଁଠି ପୋଲକୁ ଭସାଇ ନେଇଛି ତ ପୁଣି କେଉଁଠି ଗାଡି ବୁଡ଼ିଛି

42

କନକ ବ୍ୟୁରୋ : ବାତ୍ୟା , ଗଂଜାମରେ ବିଶେଷ କ୍ଷୟକ୍ଷତି କରିନାହିଁ । ହେଲେ ଏହାର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତିନି ଦିନର ପ୍ରବଳ ବର୍ଷାରେ ଫୁଲିଉଠିିଛି ଅଧିକାଂଶ ନଦୀ । ଆଉ ନଦୀର ବନ୍ୟାଜଳ ଆତଙ୍କ ସୃଷ୍ଟି କରିଛି ଓଡିଶାରେ । ଗଂଜାମ, ଗଜପତି, ରାୟଗଡା ଓ କନ୍ଧମାଳରେ ବନ୍ୟାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି ।

ବାତ୍ୟା ତିତଲି ପଶ୍ଚିମବଙ୍ଗ ଆଡକୁ ଚାଲିଯାଇଥିଲେ ବି ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଫଳରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତାର ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ରାସ୍ତା ଉପରେ ଘୁ ଘୁ ଗର୍ଜନ କରି ଚାଲିଛି ବନ୍ୟାପାଣି । ୨ ଦିନର ଲଗାଣ ବର୍ଷା ଯୋଗୁଁ ହିଂଜିଳିକାଟୁ ଘୋଡାହାଡ ନଦୀରେ ବନ୍ୟା ଆସିଛି । ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେବାରୁ ରସ୍ତାଉପରେ ପାଣିର ସୁଅ ପଡିଛି । ପାଣିର ବେଗ ଏତେ ପ୍ରଖର ରହିଛି ଯେ, ଟଳିପଡିଛି ବିରାଟ ଟାୱାର । ସେହିପରି ଫାଳେ ରାସ୍ତା ଧୋଇ ଦେଇଥିବାବେଳେ ଘଳିଆ ପଡିଛି । ହିଂଜିଳିର ବିଭିନ୍ନ ଗାଁ ଗଣ୍ଡାରେ ପାଣି ଜମି ରହିଛି । ଆଉ ବାହାରକୁ ବାହାରିବା ପାଇଁ ରାସ୍ତାରେ କୂଳ କି କିନାରା ମିଳୁନାହିଁ ।

ବର୍ଷା ପାଣି ଭସାଇ ନେଲା ପୋଲ । ଗଂଜାମ ଜିଲ୍ଲା ଚିକିଟିରେ ପୋଲ ଧୋଇଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ପୋଲକୁ ଭସାଇ ନେଉଥିବା ଦେଖିବାକୁ ମିଳିଛି । ବାଲିଘର ଭଳି ପୋଲକୁ ଭସେଇ ନେଉଛି ବନ୍ୟା ପାଣିର ସୁଅ । ଏହାସହ ଲଗାଣ ବର୍ଷା ଯୋଗୁଁ ଗଂଜାମ ପୁରୁଷୋତମ ସହର ମଧ୍ୟରେ ବନ୍ୟା ପାଣି ପଶିଯାଇଛି । ଋଷିକୁଲ୍ୟାର ନଦୀ ଜଳ ସହରରେ ଭିତରକୁ ପଶିଯିବା ଫଳରେ ରାସ୍ତାଘାଟ ସବୁ ଏକାକାର ହୋଇଯାଇଛି । ଯୋଗଯୋଗ ବିଚ୍ଚିନ୍ନ ହୋଇ ରହିଥିବାବେଳେ ଲୋକେ ଅନ୍ଦାଜାରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି ।

ଆସ୍କାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଚାଲିଛି ରୁଷିକୂଲ୍ୟାର ବନ୍ୟାପାଣି । ପାଣିର ମାତ୍ରା ଏତେ ବଢି ଯାଇଛି ଯେ, କେଉଁଠି କାର ବୁଡି ଯାଇଛି ତ ପୁଣି କେଉଁଠି ବଡଗାଡି ମଧ୍ୟରେ ପାଣି ପଶି ରହିଛି । ଆଉ ଏଥିରୁ ହିଁ ସ୍ପଷ୍ଟ ବାରି ହେଉଛି ଯେ, ରାସ୍ତା ଉପରେ କେତେ ଉଚ୍ଚର ପାଣି ଚାଲିଛି । ସେହିଭଳି ତିତଲି ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ସିମନବାଡି ଓ ରାଇକିଆ ରାସ୍ତାର ପୋଲ ଉପରେ ପାଣି ପ୍ରବାହିତ ହେଉଛି । ରାଇକିଆ ଓ ବଙ୍କିଆ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭାସିଯାଇଛି ।

ତିତଲି ଚାଲି ଯାଇଛି କିନ୍ତୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବାଲୁଗାଁ ଅଂଚଳ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି । ଘର କାନ୍ଥ ଅଧା ପାଣିରେ ବୁଡି ରହିଛି । ତେଣୁ ଲୋକେ ବାଧ୍ୟ ହୋଇ ଛାତ ଉପରେ ଦିନ କାଟୁଛନ୍ତି । ବର୍ଷା ପ୍ରଭାବରେ ଖୋର୍ଦ୍ଧ-ଗୁରୁଜଙ୍ଗ ରାସ୍ତାରେ ୪ରୁ ୫ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଚଚ୍ଛରା ଶଂଙ୍ଖ ଠାରେ ପେଟ୍ରୋଲ ପମ୍ପ ସଂପୂର୍ଣ୍ଣ ବୁଡିଯାଇଛି । ନିକଟରେ ଥିବା ଏକ ଫାର୍ମର ପାଚେରୀ ଭାଙ୍ଗିଯିବାରୁ ବିଲ ପାଣି ଓ ପୋଖରୀ ପାଣି ସବୁ ମିଶି ଏକାକାର ହୋଇଯାଇଛି ।

ପର୍ଯ୍ୟଟନ କ୍ଷେତ୍ର ପୁରୀରେ କୃତ୍ରିମ ବନ୍ୟା । ପୁରୀ ଜିଲ୍ଲାରେ ୧୯୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଣିରେ ବଡଦାଣ୍ଡ ଉବୁଟୁବୁ ହୋଇଛି । ବଡଦାଣ୍ଡରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ପୁରୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ ପୋଖରୀର ଭ୍ରମ ସୃଷ୍ଟି କରୁଛି ବଡଦାଣ୍ଡ । ସେହିଭଳି ଗଞ୍ଜାମ ଜିଲ୍ଲା ଶେରଗଡ ଅଂଚଳର ଅବସ୍ଥା ଆହୁରି ବେହାଲ କରିଛି ବନ୍ୟା ପାଣି । କେନାଲ ଓ ପାହାଡରୁ ଆସୁଥିବା ପାଣିରେ ବୁଡିଯାଇଛି ୨ଶହରୁ ଅଧିକ ଘର ।

ଅନ୍ୟପଟେ ଭଞ୍ଜନଗରରେ ଗାଁ ଦାଣ୍ଡରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ବନ୍ୟାଜଳ । ରାସ୍ତା ଉପରେ ୪ ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ସ୍ଥାନେ ସ୍ଥାନେ ରାସ୍ତାକୁ ବର୍ଷା ପାଣି ଖୋଳି ଦେଇଥିବା ଦେଖିବାକୁ ମିଳିଛି । ରୂଷିକୂଲ୍ୟାର ବନ୍ୟାଜଳ ଭଂଜନଗରର ୧୦ରୁ ଅଧିକ ପଂଚାୟତରେ ପଶିଛି ।