ଆନ୍ଧ୍ର ପାଇଁ ଭୟଙ୍କର ରୂପ ନେଇ ଆସିଥିଲା ତିତଲି । କେଉଁଠି ପବନର ବେଗ ଆଗରେ ରାସ୍ତା ଉପରେ ଅସହାୟ ଭାବେ ପଡି ରହିଥିଲା ୧୬ ଚକିଆ ଟ୍ରକ ଆଉ କେଉଁଠି ରାଜରାସ୍ତା ପାଲଟିଥିଲା ନଈ

33

କନକ ବ୍ୟୁରୋ : ତିତଲିର ତାଣ୍ଡବ ପବନ ଆକାରରେ ଯେତେ ଭୟଙ୍କର ହୋଇନଥିଲା, ତାହା ଠାରୁ ଅଧିକ ବର୍ଷା ଆକାରରେ ସାମ୍ନାକୁ ଆସିଛି । ବାତ୍ୟା ସିନା ଚାଲିଗଲା, ହେଲେ ସାଥିରେ ନେଇ ଆସିଥିବା ବର୍ଷା ଏବେ ଏକ ବଡ ବିପଦ ହୋଇ ଉଭା ହୋଇଛି । ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମରୁ କନକ ନ୍ୟୁଜ୍ କଏଦ କରିଛି ଏମିତି କିଛି ଦୃଶ୍ୟ ।

ବାତ୍ୟା ପରର ବନ୍ୟା କେତେ ବଡ଼ ବିପତି ଆଣିପାରେ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମରୁ କଏଦ ହୋଇଥିବା ଚିତ୍ର ହିଁ ବୟାନ କରୁଛି । ଯେଉଁ ରାସ୍ତାରେ ଠିକ୍ ଗୋଟିଏ ଦିନ ଆଗରୁ ବଡ଼ ବଡ଼ ଗାଡ଼ିମଟର ଚାଲୁଥିଲା ସେଠି ଗମନାଗମନର ମାଧ୍ୟମ ସାଜିଛି ବୋଟ୍ । ରାସ୍ତା ଉପରେ ଚାଲୁଛି ପ୍ରାୟ ୬ଫୁଟ ଉଚ୍ଚାର ବନ୍ୟା ପାଣି । ନଦୀର ଭ୍ରମ ସୃଷ୍ଟି କରୁଛି ଜାତୀୟ ରାଜପଥ ।କେଇ ଘଂଟାର ଲଗାଣ ବର୍ଷରେ ବଦଳିଗଲା ପୁରା ଚିତ୍ର । ଚାହୁଁ ଚାହୁଁ ମାଡ଼ି ଆସିଲା ପାଣି । ଆଉ ଜଳବନ୍ଦୀ ପାଲଟି ଗଲେ ଲୋକେ । ଏହି ଘଡିସନ୍ଧି ମୁହୁର୍ତରେ ଲୋକଙ୍କ ପାଖରେ ପହଂଚିଥିଲା କନିଷି ଫାୟାର ଷ୍ଟେସନର ଟିମ୍ । ବାତ୍ୟା ପରେ ରେଳ ଧାରଣାର ସ୍ଥିତି ପରଖିବାକୁ ଯାଇଥିବା ୧୭ଜଣ ରେଲୱ କର୍ମଚାରୀଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ ।

ରାସ୍ତା ଉପରେ ସିନା ୬ ଫୁଟ୍ ଉଚ୍ଚର ପାଣି ଥିଲା, ହେଲେ ପ୍ରଭାବିତ ଅଂଚଳରେ ଆହୁରୀ ଗଭୀର ଏବଂ ପ୍ରଖର ସ୍ରୋତରେ ବହୁଥିଲା ବନ୍ୟା ଜଳ । ଆଉ ଏହାରି ଭିତରୁ ଲୋକଙ୍କୁ ଉଦ୍ଧାର କରିବା ସହଜ ନଥିଲା । ବହୁ ଚେଷ୍ଟା ପରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧା କରାଯାଇଥିଲା । ଏହା ବ୍ୟତୀତ ରାସ୍ତା ଗଡ଼ରେ ଢ଼ଳି ପଡ଼ିଥିବା ବଡ଼ ବଡ଼ ଟ୍ରକ୍ ହିଁ ସୂଚାଇ ଦେଉଥିଲା, କେତେ ତୀବ୍ର ଥିଲା ପବନର ବେଗ । ୧୪ ଚକିଆ, ୧୬ ଚକିଆ ଟ୍ରକ୍୍ ସବୁ ପବନର ପ୍ରଖରତା ଆଗରେ ହାର ମାନି ରାସ୍ତାକଡ଼ରେ ଅସହାୟ ଭାବରେ ପଡ଼ି ରହିଥିଲା । ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମରୁ ଆସିଥିବା ଏହି ସବୁ ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି କେତେ ବଡ ସଂକଟ ସୃଷ୍ଟି କରିଛି ତିତଲି ।