ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହ ଚଳଚଂଚଳ! ସରିଲା ଦେବ ନିମନ୍ତ୍ରଣ, ଆଜି ରାତିରେ ହେବ ଦେବଦମ୍ପତିଙ୍କ ବାହାଘର

29

କନକ ବ୍ୟୁରୋ : ଆଜି ଶିବ ବିବାହ । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଚଳଚଂଚଳ ହୋଇ ଉଠିଛି । ଆଜି ରାତିରେ ସମ୍ପୂର୍ଣ୍ଣ ଲୋକାଚାରରେ ଜଗଜ୍ଜନନୀ ମା’ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବର ବେଶରେ ଯିବେ ନନ୍ଦପଡାର ବଂବରାଡ ବାଲୁଙ୍କେଶ୍ୱର ବାବା । ବରଯାତ୍ରୀଙ୍କୁ ଧରି ବାଜା, ବାଣ ରୋଷଣୀ ସହ ମା’ ପାର୍ବତୀଙ୍କୁ ବିବାହ କରିବାକୁ ଯିବେ ଭୋଳବାବା । ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ପାଇଁ ଦେବଦେବୀଙ୍କୁ ନିମନ୍ତ୍ରଣ ଦିଆ ସରିଛି । ଏହି ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀ ଗୋପୀନାଥ ମଧ୍ୟ ଆସି ପହଂଚି ସାରିଛନ୍ତି ।

ଅନ୍ୟପକ୍ଷରେ, ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସମ୍ପନ୍ନ କରିବା ପାଇଁ ସମ୍ବଲପୁର ପୁଲିସ-ପ୍ରଶାସନ ବେଶ୍ ପ୍ରୟାସ ଚଳାଇଛି। ଟାଉନ ଥାନା ପରିସରରେ ଏକ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଂଜାଯାଉଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।ଯାତ୍ରା ସମୟରେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ବେଶ ତତ୍ପର ଅଛି ପୋଲିସ ।