ଶ୍ରୀମନ୍ଦିରରେ ଲିକ ହେଉଛି ବର୍ଷାପାଣି ! ଏଏସଆଇର ଯାଞ୍ଚପରେ ଏହାକୁ କାହିଁକି ମରାମତି କରାଗଲା ନାହିଁ ତାହାକୁ ନେଇ ଦେଖାଦେଇଛି ବିବାଦ

39

କନକ ବ୍ୟୁରୋ : ବିବାଦ ପରେ ବିବାଦ । ପ୍ରଥମେ ଜଗମହୋନ ଆଉ ଏବେ ମୁଖ୍ୟ ମନ୍ଦିରରେ ଲିକ ହେଉଛି ବର୍ଷାଜଳ । କୋଟି କୋଟି ଟଙ୍କା ଖର୍ଚ୍ଚ ହେବାପରେ ମଧ୍ୟ ଶ୍ରୀମନ୍ଦିରର ଅନେକ ସ୍ଥାନରେ ଏବେ ବି ପାଣି ଗଳୁଛି । ବର୍ଷାପାଣି ମହାପ୍ରଭୁଙ୍କର ଭୋଗରେ ପଡୁଥିବା କଥା ଜଣାପଡିବା ପରେ ଗତକାଲି ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି । ପୂର୍ବରୁ ଅଣସର ପିଣ୍ଡିରେ ପାଣି ପଡୁଥିବା କଥା ଜଣାପଡିଥିଲା । କେବଳ କଥା ଏତିକିରେ ଅଟକି ନାହିଁ ବରଂ ମନ୍ଦିରର ଅନେକ ସ୍ଥାନରେ ପାଣି ପଡୁଥିବା ଦେଖାଯାଇଛି । ଯାହାକୁ ନେଇ ଏଏସଆଇ ଉପରେ ପ୍ରଶ୍ନ ଉଠିଛି । ବାରମ୍ବାର ମନ୍ଦିରର ଯାଞ୍ଚ ପ୍ରକ୍ରିୟା କରାଯାଉଛି ହେଲେ ତଥାପି କାହିଁକି ମନ୍ଦିରରେ ପାଣି ପଡୁଛି ତାହାକୁ ନେଇ ଏବେ ଅନେକ ବିବାଦ ଦେଖାଦେଇଛି । କେବଳ ଏତିକି ନୁହେଁ ଶ୍ରୀମନ୍ଦିରରେ ଯେଉଁ କାମ କରାଯାଉଛି ତାହା ଅତି ନିମ୍ନମାନର ହୋଇଥିବା ସେବାୟତମାନେ ଅଭିଯୋଗ କରିବା ସହ ହାଇକୋର୍ଟରେ ଯେଉଁ ପିଟିସନ ଦାଖଲ କରାଯାଇଛି ସେଥିରେ ମଧ୍ୟ ଭୁଲ ରହିଥିବା ଗତକାଲି ସେବାୟତମାନେ ଅଭିଯୋଗ କରିଛନ୍ତି ।

 

ପୂର୍ବରୁ ରତ୍ନ ଭଣ୍ଡାରଘରେ ପାଣି ପଡୁଥିବା ନେଇ ଏଏସଆଇ କିହିଥିଲା ତେବେ ପରେ ଏହାର ଯାଞ୍ଚ ମଧ୍ୟ କରାଯାଇଥିଲା । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ସେବାୟତଙ୍କ ଉପରେ ଯେତିକି ପରିମାଣରେ ନଜର ରଖିଛି ଯଦି ସେତିକି ପରିମାଣରେ ଏଏସଆଇଙ୍କ କାମ ଉପରେ ନଜର ରଖିଥାଆନ୍ତା ତେବେ ଆଜି ଏପରି ଦିନ ଦେଖିବାକୁ ମିଳିନଥାନ୍ତା । ଗତକାଲି ଚତୁର୍ଦ୍ଧମୂରତିଙ୍କ ପାଖରେ ଗୋପାଳବଲ୍ଲଭ ଭୋଗ ବଢିବା ସମୟରେ ବର୍ଷାପାଣି ଚାନ୍ଦୁଆକୁ ଭେଦି ଭୋଗ ଉପରେ ପଡୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପ୍ରଥମେ ଦଇତାପତି ବିନାୟକ ଦାସମହାପାତ୍ର ଦେଖିଥିଲେ ପରେ ସମସ୍ତ ସେବାୟତଙ୍କୁ ଏହା ଜଣାଯାଇଥିଲା । ପୂର୍ବରୁ ଅଣସର ପିଣ୍ଡିହାଟ ଦ୍ୱାର, ନାଟମଣ୍ଡପ ଏବଂ ଭୋଗ ମଣ୍ଡପର ସ୍ଥିତି ଦୁର୍ବଳ ଥିବା ନେଇ ଏଏସଆଇ ସୂଚନା ଦେିଇଥିଲା । ଏହାସହ ସେବାୟତମାନେ ଅଭିଯୋଗ କରିଛନ୍ତର ଯେ, ଚଳିତବର୍ଷ ରଥଯାତ୍ରା ସମୟରେ ମହାପ୍ରଭୁ ଓଦା ହୋଇଥିଲେ । କିନ୍ତୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଭୋଗରେ ବର୍ଷାପାଣି ପଡିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଗତ ୪୦ବର୍ଷ ହେଲାଣି ଶ୍ରୀମନ୍ଦିରର ରକ୍ଷଣାବିକ୍ଷଣ ଏଏସଆଇ କରୁଛି । କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାପରେ ମଧ୍ୟ ମନ୍ଦିରର ସ୍ଥିତି ଯେ ଦୁର୍ବଳ ରହିଛି ଏହା ଗତକାଲି ଘଟଣାରୁ ସ୍ପଷ୍ଟ ଭାବରେ ଜଣାପଡିଛି ।