ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବ ! ଜିଲ୍ଲାସ୍ତରରେ ପ୍ରତିଷ୍ଠା ହେବ ବିଜ୍ଞାନ ପାର୍କ

64

କନକ ବ୍ୟୁରୋ : ବର୍ତ୍ତମାନ ଯୁଗକୁ ବିଜ୍ଞାନ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅତ୍ୟନ୍ତ ଜଟିଳ ପଦ୍ଧତିକୁ ଅତି ସରଳ ଉପାୟରେ ବୈଜ୍ଞାନିକମାନେ କରିଦେଇପାରୁଛନ୍ତି । ବିଜ୍ଞାନ ଯୁଗରେ ଅନେକ କିଛି ଅସମ୍ଭବ ସମ୍ଭବ ହୋଇପାରୁଛି । ଆଜିଠାରୁ ୧୦/୧୫ ବର୍ଷ ପଛକୁ ଫେରିଗଲେ ଆପଣ ବୋଧହୁଏ ଭଲରେ ଜାଣିପାରିବେ ବିଜ୍ଞାନ କେତେ ଅଗ୍ରଗତି କରିଛି । ୧୦/୧୫ ବର୍ଷ ପୂର୍ବରୁ ପ୍ରିୟଜନଙ୍କ ସହ ସମ୍ପର୍କ ସ୍ଥାପନ କରିବାର ମାଧ୍ୟମ ଥିଲା ଚିଠି । ଆଜିପରି ମୋବାଇଲର ବହୁଳ ବ୍ୟବହାର ନଥିଲା । କିନ୍ତୁ ଏବେର ପରିସ୍ଥିତି ଦେଖିଲେ ଆପଣ ଜାଣିପାରୁଥିବେ ବିଜ୍ଞାନ କେତେ ଅଗ୍ରଗତି ହୋଇଛି । ଗୋଟିଏ ମାତ୍ର କ୍ଲିକରେ ଆମେ ଅନେକ କଥା ଜାଣିପାରୁଛୁ । ଦେଶବିଦେଶର ଖବର ଜାଣିବା ପାଇଁ ଟିଭି ମଧ୍ୟ ଦେଖିବା ପାଇଁ ପଡ଼ୁନାହିଁ । ଗୋଟିଏ ସେକେଣ୍ଡରେ ହିଁ ଆମ ପାଖରେ ଖବର ଆସି ପହଞ୍ଚି ଯାଉଛି । ତେବେ ବିଜ୍ଞାନର ଅଗ୍ରଗତିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି ।

ଏଣିକି ଜିଲ୍ଲାସ୍ତରରେ ବିଜ୍ଞାନ କେନ୍ଦ୍ର ବା ପାର୍କ ସ୍ଥାପନ କରାଯିବ। ଯେଉଁ ଜିଲ୍ଲା ପ୍ରସ୍ତାବିତ ବିଜ୍ଞାନ କେନ୍ଦ୍ର ବା ପାର୍କ ନିମନ୍ତେ ଆବଶ୍ୟକ ରକ୍ଷଣାବେକ୍ଷଣ ଦାୟିତ୍ୱ ହାତକୁ ନେବ ସେହି ଜିଲ୍ଲାକୁ ଅଗ୍ରାଧିକାର ଦିଆଯିବ । ଆଜି ଏ ନେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏକ ସ୍ୱତନ୍ତ୍ର ସଂକଳ୍ପ ଗ୍ରହଣ କରିବା ସହିତ ବିଜ୍ଞାନ ଓ ବୈଷୟିକ ଜ୍ଞାନର କାର୍ୟ୍ୟାନ୍ଵୟନ ରାଜ୍ୟ ପରିଷଦ ନାମରେ ଏକ ଉପଯୋଜନା ଆରମ୍ଭ କରିଛି । ବିଜ୍ଞାନକୁ ଲୋକପ୍ରିୟ କରିବା ସହିତ ସମସ୍ତଙ୍କୁ ବିଜ୍ଞାନ ସାକ୍ଷର କରିବା ଆଭିମୁଖ୍ୟ ନେଇ ଜିଲ୍ଲାସ୍ତରରେ ବିଜ୍ଞାନ କେନ୍ଦ୍ର ବା ପାର୍କ ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି ।

ପ୍ରସ୍ତାବିତ ବିଜ୍ଞାନ କେନ୍ଦ୍ର ବା ପାର୍କ ନିମନ୍ତେ ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ସହାୟତା ଯୋଗାଇଦେବେ । ଏଥିପାଇଁ ଆବଶ୍ୟକ ରକ୍ଷଣାବେକ୍ଷଣ ଦାୟିତ୍ୱ ଜିଲ୍ଲାର ଉନ୍ନୟନ କର୍ତ୍ତୃପକ୍ଷ ହେଉ ପୌରପାଳିକା କିମ୍ବା ସ୍ୱତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କୁ ନେବାକୁ ହେବ । ଏହି ସଂକଳ୍ପ ଅନୁଯାୟୀ ସଂପୃକ୍ତ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ସୂଚନାଯୋଗ୍ୟ, ବର୍ତ୍ତମାନ ଏଭଳି ପାର୍କ ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି ।