ପେଟ୍ରୋଲ ଉପରୁ ଛାଡିବୁନି ଭ୍ୟାଟ୍ ! କେନ୍ଦ୍ରକୁ ଓଡ଼ିଶାର ଜବାବ

39

sashi bhusan behera କନକ ବ୍ୟୁରୋ : ପେଟ୍ରୋଲର କ୍ରମାଗତ ଦରବୃଦ୍ଧି ନେଇ ମୋଦି ସରକାର କଡ଼ା ସମାଲୋଚନାର ଶିକାର ହେବା ପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ । ୨ ପ୍ରତିଶତ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟଗୁଡିକୁ ୫ ପ୍ରତିଶତ ଭ୍ୟାଟ କମାଇବା ପାଇଁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ଏ ନେଇ ଖୁବଶୀଘ୍ର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତେବେ ଏହା ପୂର୍ବରୁ ଜବାବ ରଖିଛି ଓଡିଶା । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଭ୍ୟାଟ ଛାଡିବା ଆମ ପକ୍ଷରେ ସମ୍ଭବ ନୁହେଁ ।

ଶଶୀଭୂଷଣ କହିଛନ୍ତି, ପେଟ୍ରୋଲ ଉପରେ ଓଡ଼ିଶା ସବୁଠାରୁ କମ୍ ଭ୍ୟାଟ ଆକାରରେ ଆଦାୟ କରୁଛି । କେନ୍ଦ୍ର ଯେଉଁ ଉତ୍ପାଦନ ଶୁଳ୍କ ହ୍ରାସ କରିଛି, ସେଥିରେ ବି ଅଧିôକ କ୍ଷତି ସହୁଛି ଓଡ଼ିଶା । ଶଶୀଭୂଷଣଙ୍କ ପୂରା ହିସାବ ଉପରେ ନଜର ପକାଇବା ।

– ଉତ୍ପାଦନ ଶୁଳ୍କ ପେଟ୍ରୋଲ ପିଛା ୨ ଟଙ୍କା ହ୍ରାସ ପରେ ସିଧାସଲଖ ଓଡ଼ିଶା ପ୍ରତି ଲିଟରରେ ହରାଇଛି ୮୪ ପଇସା ।

– ସେପଟେ ଭ୍ୟାଟ ଆକାରରେ ୨୬ ପ୍ରତିଶତ ଭ୍ୟାଟ ଆଦାୟ କରୁଥିବାରୁ ହ୍ରାସ ହୋଇଥିବା ୨ ଟଙ୍କା ଉତ୍ପାଦନ ଶୁଳ୍କ ଉପରେ ୫୨ ପଇସା ହରାଇଛି ଓଡ଼ିଶା ।

– ଫଳରେ ମୋଟ ୧ ଟଙ୍କା ୩୬ ପଇସା ହରାଇବାକୁ ପଡିଛି ଓଡ଼ିଶାକୁ ।

ଏଭଳି ସ୍ଥିତିରେ ଆଉ ଭ୍ୟାଟ କମାଇହେବନି ବୋଲି ରୋକଠୋକ ଭାବେ କେନ୍ଦ୍ରକୁ ଜବାବ ଦେଇଛନ୍ତି ଶଶୀ ବେହେରା । ସେପଟେ ଗୁଜରାଟ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡିକ ଭ୍ୟାଟ କମାଇବା ନେଇ ମନସ୍ଥିର କରିଥିବା ଚର୍ଚ୍ଚା ହେଉଛି । ତେବେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଭ୍ୟାଟ ହ୍ରାସ ହେବ ନାହିଁ କହିବା ପରେ ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଧିକ କମିବା ସମ୍ଭାବନା ନଥିବା ଏକରକମ ସ୍ପଷ୍ଟ ହୋଇଛି ।